ଜୀବନ ଅମୃତ ସର
ଜୀବନ ଅମୃତ ସର
ଶୀତ ସକାଳ ର କୁହୁଡି ଘେରାରେ
କାକର ବିନ୍ଦୁ ପତର
ଲାଜେଇ ଯାଉଛି ଭଅଁର ପରଶେ
କିଏସେ ଢାଳିଛି ଅତର
କିଏସେ ଢାଳିଛି ଅତର।
ଲାଜକୁଳି ଲତାର ମୁଦିଲା ବନ୍ଧନ
ଛୁଇଁ ଦେଲେ ତନୁ ତା'ର
ହେଉଛି ସେ ଆନମନ
ହେଉଛି ସେ ଆନମନ
ଶୀତ ସକାଳ ର କୁହୁଡି ଘେରାରେ
କାକର ବିନ୍ଦୁ ପତର।
ସବୁଜ ଗାଲିଚା ଚଟାଣରେ ଧୀରେ
ନାଲି ଟୁକୁ ଟୁକୁ ସାଧବ ବୋହୂ
ଚାଲୁଥାଏ ଧୀରେ ଓଢଣୀ ଲମ୍ବାଇ
ଯିଏ ଯାହା ପଛେ କହୁ ।
ନଥାଏ ଖାତିରି ପଛକୁ ଚାହେଁନା
ଆଗକୁ ତା'ର ବିଚାର
କାକର ବିନ୍ଦୁ ପତର
ଶୀତ ସକାଳ ରକୁହୁଡି ଘେରାରେ
କାକର ବିନ୍ଦୁ ପତର ।
ସୂରୁଜ ଉଇଁଲେ ଆଭା ବିମଣ୍ଡିତ
ପୁରୁବ ଆକାଶ କୋଳେ
ଫୁଲ ଫୁଟିଯାଏ ରଙ୍ଗ ବେରଙ୍ଗ ର
ମଧୁର କାକଳୀ ତୋଳେ
ମଧୁର କାକ୍କଳୀ ତୋଳେ।
ବୃନ୍ତ ଚ୍ୟୁତ ହୁଏ ଦେବତାର ଲାଗି
କଅଁଳ ପାଖୁଡା ଫୁଲ
କଳିକା ମାଳିକା ତୁଳିକା ଶଯ୍ୟାରେ
ମୂଲ ଅମୁଲର ତୁଲ।
ମାଲୁଣି ବସିଛି ଫୁଲ ହାର ଧରି
ପସରା ରହିଛି ଭରା
କେଉଁ ଭାବନାରେ ଭାବୁକ ଜୀବନ
ଅନ୍ତରରେ ଦେବ ଧରା।
ଭଅଁର ଭ୍ରମୁଛି ଭ୍ରମରେ ଯେ ଯେଣୁ
ଏଇତ ଜୀବନ ଭ୍ରମ
କାମନା ବାସନା ନୁହଁଇ ତ କାମ୍ୟ
ଅନୁସରିତେ ଅନୁପମ।
ଶୀତ ସକାଳର କୁହୁଡି ଘେରାରେ
କାକର ବିନ୍ଦୁ ପତର
ସୂରୁଜ ରଶ୍ମି ର ପ୍ରତିବିମ୍ବ ଧାର
ଜୀବନ ଅମୃତ ସର।