ସ୍କନ୍ଧମାତା
ସ୍କନ୍ଧମାତା
ଶରତ ଋତୁରେ ହସୁଅଛି ଧରା
ଆସିଛି ଆଶ୍ବିନ ମାସ
ଜଗତ ଜନନୀ ମହିଷା ମର୍ଦ୍ଦିନୀ
ପାଇଁ ଭକତ ଉଲ୍ଲାସ ।
ନବରାତ୍ରୀ ନଅ ବେଶ
ହୋଇ ମାଆ ଭକ୍ତକୁ ଦ୍ୟନ୍ତି ଦରଶନ
ଦେଖି ଭକ୍ତ ମନ ତୋଷ ।
ଭକ୍ତ ଓଠେ ଭରା ଥାଏ ହସ ।
ପ୍ରଥମ ଦିବସେ ଶୈଳପୁତ୍ରୀ ବେଶ
ଦ୍ବିତୀୟେ ବ୍ରହ୍ମ ଚାରିଣୀ
ତୃତୀୟରେ ଚନ୍ଦ୍ର ଘଣ୍ଟା ଚତୁର୍ଥେ ତୁ
କୁଷ୍ମଣ୍ଡା ରୂପ ଭବାନୀ ।
ଭକତର ତୁ ବିଶ୍ବାସ
ସନ୍ତାନର ପାଇଁ ଓହ୍ଲାଇ ଆସୁ ମା
ହସ୍ତେ ଧରି କାଳ ଫାଶ ।
ସନ୍ତାନଟି ତୋର ଆଶ ।
ପଞ୍ଚମ ଦିବସେ ସ୍କନ୍ଧ ମାତା ତୁମେ
ଜଗତକୁ ରକ୍ଷା କଲ
ଦେବ ସେନାପତି କାର୍ତ୍ତିକେୟ ମାତା
ରୂପରେ ପୂଜିତା ହେଲ ।
ଦାନବ କଲ ବିନାଶ
ପୁତ୍ର କାର୍ତ୍ତିକେୟେ ସୁରକ୍ଷା ଦେଇ ମା
ଦାନବଙ୍କୁ କଲ ଶେଷ ।
ରଖି କାର୍ତ୍ତିକେୟ ଯଶ ।
ଚତୁର୍ଦ୍ଧାମୂରତୀ ରୂପେ ବିଜେ କଲ
ଦୁଇ ହସ୍ତେ ପଦ୍ମ ଧରି
ଗୋଟିଏ ହସ୍ତରେ ସିଂହ ଅନ୍ୟ ହସ୍ତେ
ପୁତ୍ରେ ଆଶୀର୍ବାଦ କରି ।
ଦେବଙ୍କୁ ଦେଲ ଆଶିଷ
ପୁତ୍ର କାର୍ତ୍ତିକେୟ ଆଶୀର୍ବାଦ ଦେଲ
ତାରକାସୁର ବିନାଶ ।
ସ୍କନ୍ଧ ମାତା ତୁମେ ଜଗତ ଜନନୀ
ଶକ୍ତି ସ୍ବରୂପିଣୀ ମାଆ
ତୁମରି ଆଶିଷେ ହସଇ ଜଗତ
ହସେ ଏ ସାରା ଦୁନିଆ
ଦିଅ ମା ତୁମେ ଆଶିଷ
ଦୁଷ୍ଟକୁ ବିନାଶି ରକ୍ଷାକର ମହୀ
ଓଠେ ଭରି ଦିଅ ହସ ।
ତୁମେ ହିଁ ସଭିଁଙ୍କ ଆଶ ।