ମଣିଷ ସମୟର ଦାସ
ମଣିଷ ସମୟର ଦାସ
ସମୟର ଚକ ଗଡ଼ି ତ ଚାଲିଛି
ଆଗକୁ ତାହାର ଗତି
ପଛକୁ ଫେରିବା ତାର ଧର୍ମ ନୁହେଁ
ସେ ଅଟେ ଅମୂଲ୍ୟ ମୋତି ।
ସମୟ ଗତିରେ ମଣିଷ ଜନମ
ବାଲ୍ୟ, କୈଶୋର, ବା ଯୁବା
ବୃଦ୍ଧାବସ୍ଥା ପୁଣି ଚିରନ୍ତନ ମୃତ୍ୟୁ
ସବୁ ସମୟର ଆଭା ।
ସମୟ ଗତିରେ ସୁଖ ଦୁଃଖ ଆସେ
ସମୟରେ ସର୍ବେ ବନ୍ଧା
ସମୟ ଗତିକୁ କିଏ ବା ରୋକିବ
ବଳବାନ ସିଏ ସିଦ୍ଧା ।
ସମୟର ଦାସ ମଣିଷ ଅଟଇ
ଏହା ବିଧିର ନିର୍ଦ୍ଦେଶ
ସମୟ ସ୍ରୋତରେ ମଣିଷ ଧାବିତ
ସମୟ ଦିଏ ନିର୍ଦ୍ଦେଶ ।
ସମୟ ଡୋରିରେ ଦେବରୁ ଦାନଵ
ମଣିଷ ବନ୍ଧିତ ଅଛି
ଗଡ଼ିଯିବା ପାଣି ଲେଉଟେନି ପୁଣି
ସମୟ କେବେ ଫେରେନି ।
ଦୁଖ-ସୁଖ ଅବା ହସ-ଲୁହ ହେଉ
ସବୁ ସମୟର ଖେଳ
ବେଳ ଥାଉ ଥାଉ ସତ୍ କର୍ମ କରିଲେ
ମଣିଷ ଜନ୍ମ ସଫଳ ।
ସମୟ ଚିହ୍ନା ଏ ଆପଣା ଓ ପର
ସମୟ ଦିଏ ବିଶ୍ୱାସ
ସମୟ ବୁକୁରେ ଲେଖା ମଣିଷର
ଜୀବନର ଅଭିଲେଖ ।
ସମୟ ଖେଳରେ ମଣିଷ ହୁଅଇ
କେବେ ରାଜା ବା ଫକୀର
ସମୟ ସ୍ରୋତକୁ ସ୍ଵୀକାର କରି ଯେ
ରାଜା ବି କାଟଇ ଘାସ ।
ସମୟ ଦିଅଇ ଅନୁଭବ ପୁଣି
ଶିଖାଏ ଜୀଇଁବା କଳା
ଦୁଃଖରେ ଅଧିର ନ ହେଲେ ମଣିଷ
ନ ବୁଡ଼ିବ ତାର ଭେଳା ।
ସମୟ ଦିଅଇ କେତେ ଖୁସି ପୁଣି
ସିଏ କିବା ଚିରସ୍ଥାୟୀ
ପଟ୍ଟ ବଦଳୁଛି ପ୍ରତିଟି କ୍ଷଣରେ
ସ୍ଵୀକାରିବା ସ୍ଥିର ହୋଇ ।
ସମୟ ଗତିକୁ ରୋକିବା କଳା
କେହି ବି ଶିଖି ନାହାଁନ୍ତି
ପ୍ରତିଟି କ୍ଷଣକୁ ସୁନ୍ଦର କରିବା
ପ୍ରୟାସେ ରହିବା ବ୍ରତୀ ।
ସମୟର ଦାନ ଅନୁଭୂତି ମୋତି
ବର୍ତ୍ତମାନେ ଲଗାଇବା
ପ୍ରତିଟି କ୍ଷଣକୁ ସୁ-ଉପଯୋଗ ରେ
ଲକ୍ଷ୍ୟ ପାଖେ ପରିଞ୍ଚିବା ।
ସମୟର ଡୋରି ଆମ ହାତେ ନାହିଁଁ
ପ୍ରଚେଷ୍ଟା ଆମ ହାତରେ
ଦୁଃଖେ ଭାଙ୍ଗିବାନି ସୁଖେ ଭାସିବାନି
ଏହା ଆମ ଶାସ୍ତ୍ର କହେ ।
ମଣିଷ ଅଟଇ ସମୟର ଦାସ
ଏହା ଅଟେ ଚିର ସତ୍ୟ
ହେଲେ ବିଭୁ ଦତ୍ତ ବିବେକ ବୁଦ୍ଧିକୁ
ଲଗାଉ ଥିବା ସତତ ।
ସମୟ ଖେଳଇ ଖରା ଛାଇ ଖେଳ
ଜୀବନ ଯାତ୍ରା ପଥରେ
ସମୟ କୁ ଆମେ ସ୍ଵୀକାର୍ଯ୍ୟ କରିବା
ଶ୍ରେଷ୍ଠ ସୃଷ୍ଟି ହିସାବରେ ।
ପ୍ରତିଟି କ୍ଷଣରେ ଭରିଦେବା ଆମେ
ଧୈର୍ଯ୍ୟ ଉଚ୍ଛ୍ଵାସର ରଙ୍ଗ
ପ୍ରେମ ବିଶ୍ୱାସରେ ରଙ୍ଗାଇବା ଚାଲ
ଜୀବନର ପ୍ରତିକ୍ଷଣ ।
ଖରାପ ସମୟ ଆସିଲେ ଆସିବ
ହାତ ବାନ୍ଧି ବସିବାନି
କର୍ମ କର୍ତ୍ତବ୍ୟରୁ ଓହରି ଯିବାନି
କେବେ ହତାଶ ହେବାନି।
ସମୟ ସୁଅରେ ପତର ହୋଇ ଯେ
କେବେ ଭାସି ଯିବା ନାହିଁଁ
ମଣିଷ ଜନମ ସାର୍ଥକ ଧାରାକୁ
କେବେ ମୁହଁ ମୋଡ଼ିବାନି ।
ମଣିଷ ଅଟଇ ସମୟର ଦାସ
ଏ କଥା ଟି ସତ୍ୟ ଅଟେ
ସବୁ ସମୟକୁ ସାମ୍ନା କରିବାର
ଶକ୍ତି ବି ଅଛି ତା ପାଖେ ।