ମଣିଷ କରୁଛି ଅଭିନୟ
ମଣିଷ କରୁଛି ଅଭିନୟ
କେବେ କରୁଛି ବରଣ ପରାଜୟ
କେବେ ପୁଣି ପାଏ ବିଜୟ
ଏହି ବିଜୟ ପରାଜୟର
ଉପଲବ୍ଧି ପାଇଁ
ମଣିଷ କରୁଛି କେତେ ଅଭିନୟ ।
ହସ କାନ୍ଦର ଏ ଦୁନିଆଁ ଦାଣ୍ଡରେ
ଆସେ କେତେ ଘାତ ପ୍ରତିଘାତ
ଯାତନା ନିର୍ଯ୍ୟାତନା ମଧ୍ୟେ
ମଣିଷ ଖୋଜୁଛି ତା
ବର୍ତ୍ତମାନ ଅତୀତ ଓ ଭବିଷ୍ୟତ ।
ଏ ମନ ଏ ଆତ୍ମା ଆଜି
ସମାଜେ ଖୋଜଇ
ଶାନ୍ତି ମୈତ୍ରୀ ଧର୍ମ ଓ ନ୍ୟାୟ
ସେହି ନ୍ୟାୟ ଅନ୍ୟାୟର
ଗଣ୍ଡି ଭିତରେ ରହି
ମଣିଷ କରୁଛି କେତେ ଅଭିନୟ ।
ମୁଁ ମୁଁ ରେ ବଞ୍ଚୁଛି
ଆଜିର ଏ ଆଧୁନିକ ମଣିଷ
ସାମୂହିକତାକୁ ଭୁଲିଯାଇ
ଗାଁ ରୁ ସହର ସବୁକୁ କରୁଛି ଶେଷ
ଅନ୍ୟର କଥା ଭାବିବା ପାଇଁ
ଏ ଯନ୍ତ୍ରଚାଳିତ ମଣିଷ ପାଖରେ
ତିଳେ ହେଲେ ନାହିଁ ଅବକାଶ
ଖାଲି ଏଠି ଆଜି ସ୍ଵାର୍ଥ କ୍ଷମତାର ଶୋଷ ।
ବଞ୍ଚିବା ପାଇଁ ଆଜି ଏ ମାନବ
ନିଜକୁ ସଜାଇ ଦିଏ ଦାନବ
ନାହିଁ କିଛି ନ୍ୟାୟ ଅନ୍ୟାୟର ଭୟ
ମାତୃ ଜାତି କୁ କରୁନି ସମ୍ମାନ
ବୟୋଜ୍ୟେଷ୍ଠଙ୍କ ପାଇଁ ନାହିଁ
ଲେଶ ମାତ୍ର ଧ୍ୟାନ
ଜ୍ଞାନ ଗରିମା ର ଅଧିକାରୀ ହୋଇ
ପାଷାଣ କରିଛି
ଏ ମଣିଷ ଜାତି ତାହାର ହୃଦୟ
କେତେ କେତେ କଳା କାରନାମା କରି
ନିଜେ ବଞ୍ଚିବା ପାଇଁ
ଖାଲି ଏ ମଣିଷ କରୁଛି ମିଛ ଅଭିନୟ ।
ପରିବେଶ ଆଜି ପ୍ରଦୂଷିତ
ପରିବାର ଏବେ ଧ୍ଵସ୍ତ ବିଧ୍ୱସ୍ତ
ତଥାପି ମଣିଷ ବୋଲାଏ
ନିଜକୁ ମହାଜ୍ଞାନୀ ମହାପଣ୍ଡିତ
ସାମାଜିକ ଶୃଙ୍ଖଳା ବିଲୁପ୍ତ ପ୍ରାୟ
ତଥାପି ଏ ମଣିଷ ଜାତି
ନିଜେ ବଞ୍ଚିବା ପାଇଁ
କରୁଛି କେତେ ମିଛ ଅଭିନୟ ।