ମଣିମା ଶୁଣିବା ହେଉ
ମଣିମା ଶୁଣିବା ହେଉ
ଆହେ ନୀଳଶଇଳ
ଥରେ ମାତ୍ର କୃପା କର
ଏ ଅଧମ ପାପୀନିକୁ
ଅଧେ ଦିଅ ତୁମ ଜ୍ଵର ।
ଆହେ ଦାନବୀର
ଏ ପାପୀନି ତୁମ ଭକ୍ତ ନୁହେଁ
ତଥାପି ଦୟା କର ହେ ଠାକୁରେ
ଦାନକର ଦାନକର ।
ଭକ୍ତି କରେ ନାହିଁ ତୁମକୁ ଈଶ୍ୱର
ମାନେ ନାହିଁ ତୁମ ନାମ
ଏତିକି ଜାଣିଛି ତୁମେ ମୋର ପୁଅ
ମୁଁ ତୁମ ମାତୃକା ସମ ।
ତୁମକୁ ସିନା ମୁଁ ଗରଭେ ରଖିନି
ହେଲେ ହୃଦୟେ ରଖିଛି ପ୍ରଭୁ
ଅଳି ମୁଁ ସହିନି ହେଲେ ତୁମରି କଥାକୁ
ଦିନ କାଟେ ଭାବୁ ଭାବୁ ।
ହେ କାଳିଆ ଦାନବୀର ,
ମତେ ଥରେ ମାତ୍ର କୃପା କର ,
ତୁମ ଜ୍ଵର ତକ ମତେ ଦେଇଦିଅ
ରଖିବି ତାକୁ ମୋ ଶରୀର ।
ଜଗତ ଯାକର କଷ୍ଟ କୁ ସହୁଛ
ବୁଝୁଛ ସବୁରି ଦୁଃଖ
ଆଜି କିମ୍ପା ପ୍ରଭୁ ମତେ ଦେବନାହିଁ
ତୁମ ଜ୍ଵରରୁ ଅଧା ଭାଗ ।
ଦିଅ ଦିଅ ପ୍ରଭୁ ତୁମରି ଜ୍ବରକୁ
ଆଉ ଡେରି କର ନାହିଁ ଜମା
ଡେରି ଡେରି କଲେ ଜ୍ଵର ବଢ଼ୁଥିବ
ଏଇ କଷ୍ଟରେ ନାହିଁ ଟି କମା ।
ଆହାଃ ମୋ ପୁଅର ଜ୍ୱର ବଢ଼ୁଥିବ
କଳା ଶ୍ରୀମୁଖ ଝାଉଁଳି ଯାଇ
ହଳଦୀ ମୁହିଁ ମୋ ଜ୍ଵରେ ଲୋଟୁ ଥିବ
ତାତିରେ ଫୁଟି ପଡିବଣି ଖଇ ।
ଗୋରା ମୋର କଇଥା ଦିଶୁଥିବ
ହଳ ପାରିବନି ଟେକି
ବିଲ କାମ ସବୁ ପଡିରହିଥିବ
ମୁଇଁ ଖାଲି ଚାହିଁ ରହିଛି ବା ବୋକି ।
ହେ ଜଗତ ଈଶ୍ୱର ଦିଅ ଆହେ ପେଲି
ବାକି ଆଉ ଯେତେ ଜ୍ଵର
ବୋଳି ହେବି ତାକୁ ଚନ୍ଦନ ସମ
ତିନି ଠାକୁର ନୁହେଁ ମୋ ପର ।
ତୁମେ ପରା ମୋର ନୟନ ପିତୁଳା
ମୋ ଶୂନ୍ୟତାର ପୂର୍ଣ୍ଣ ନାମ
ତୁମେ ସବୁ ଯଦି କଷ୍ଟରେ ରହିବ
ମୁଁ ବଂଚିପାରିବିନି ମର୍ତ୍ତ୍ୟ ଧାମ ।
ଭାବୁଛ କି ପୁଅ ତୁମ ମାଆଟି ଅକ୍ଷମ
ସହି ପାରିବନି ଜ୍ଵର
ଜଗତ ଈଶ୍ୱର ଜ୍ଵର କି ସହିବ
ସାଧାରଣ ମାଆ କୋଳ ।
ହେ ଚକାଆଖି ଥରେ ଦେଖିଯାଅ
ତୁମ ଶକ୍ତିମୟୀ ମାଆ ଟିକୁ
ତୁମକୁ ସାହାସେ ହୃଦୟେ ବାନ୍ଧିଛି
ମନ ମୋର ବିକୁ ବିକୁ ।
ଭକ୍ତିରେ ମୋର ମାଆ ବସିଅଛି
କିଛି ହେବ ନାହିଁ ମୋର
ଦିଅ ଦିଅ ଆହେ ତୁମ ଜ୍ଵର ସବୁ
ଆଉ ବେଳେ ହେଳା ନକର ।
ତୁମ କଷ୍ଟ ପ୍ରଭୁ ଦେଖି ମୁଁ ପାରୁନି
ଆଖି ମୋର ଯାଏ ଫୁଟି
ମନ ମୋର ପ୍ରଭୁ କାନ୍ଦୁଛି ମଣିମା
ହୃଦୟ ମୋ ଯାଏ ଫାଟି ।
ଆହେ ନୀଳାଚଳ ନୀଳ ରାଜାବୀର
କଳା କଇଁ ତୁମ ରୂପ
ହଳଦୀ କଇଁ ଆଉ ଧଳା କଇଁ ମୋର
ଶୁଣେଇବି ବସି ଗପ ।
କୁହୁକ ଦେଶର ଆଈ ମାଆ କାହାଣୀ
ରାଜଜେମା ବୁଢ଼ୀ କଥା
ସବୁ ଶୁଣେଇବି ଦେହ ଭଲ ହେଲେ
ଏବେ ଶୁଣ ଆହେ ମୋର ବ୍ୟଥା ।
ଜାଣେ ପ୍ରଭୁ ତୁମେ ମୋ କଥା କି ଶୁଣିବ
ମୁଁ ନୁହେଁ ତୁମରି ଭକ୍ତ
କେଉଁ ଭକ୍ତ ଆହେ ପଢି ପକାଅ ରେ
ଚିନ୍ତାରେ ପାଣି ହୁଏ ମୋର ରକ୍ତ ।
ତିନି ଠାକୁରଙ୍କୁ କୁହ ଆହେ କିଏ
ମୋ ବିନତି ଶୁଣିବା ପାଇଁ
ମାଆ ମୋର ଅଛି,ମୋର କିଛି ହେବ ନାହିଁ
ମୋ ପାଇଁ ଚିନ୍ତା ନାହିଁ ,ଚିନ୍ତା ନାହିଁ ।