ମଙ୍ଗଳମୟ ଶ୍ରୀ ଗଣପତି
ମଙ୍ଗଳମୟ ଶ୍ରୀ ଗଣପତି
ଗୌରୀ ଅଙ୍ଗ ମୌଳୀ ମାନସ ପୁତ୍ର
ମାତୃ ଭକ୍ତ ଶିରୋମଣି
ମାତାଙ୍କ ଆଜ୍ଞାରେ ଦ୍ଵାରପାଳ ଥିଲ
ହେ ବିଜ୍ଞ ଅଙ୍କୁଶ ପାଣି ।
ମାତା ଧ୍ୟାନ ଭଗ୍ନ ହେବ ନାହିଁ ବୋଲି
ଗୁମ୍ଫା ଦ୍ଵାରେ ଥିଲ ହେଳେ
ଅଜାଣତେ ତୁମେ ପିଅରେ ଲଢିଲ
ଶେଷେ ହତ ହେଲ ଛଳେ ।
ପିତା ମହାଦେବ ଦୁଃଖେ ନିୟମାଣ
ସତ୍ୟକୁ ଜାଣିବା ପରେ
ବିଷ୍ଣୁ ପରାମର୍ଶେ ହାତୀ ମୁଣ୍ଡ ଆଣି
ଜୀବଦାନ ଦେଲେ ହେଳେ ।
ଆଶୀର୍ବାଦ ଦେଇ କହିଲେ ଶଙ୍କର
ହେବ ଜ୍ଞାନ ସିଦ୍ଧିଦାତା
ଅଗ୍ରପୂଜ୍ୟ ହେବ ମାଙ୍ଗଳିକ କାର୍ଯ୍ୟେ
ସମସ୍ତେ ପାତିବେ ମଥା ।
ରିଦ୍ଧି ସିଦ୍ଧି ତୁମ ସାଥିରେ ଅଛନ୍ତି
ଅଛନ୍ତି କାର୍ତ୍ତିକ ଭାଇ
ସିଦ୍ଧି ପ୍ରଦାୟକ ମଙ୍ଗଳ ବିଭୂତି
ମାଙ୍ଗଳିକ କର୍ମେ ସ୍ଥିତି ।
ବିବାହ ବ୍ରତ ଠୁ ଯେତେ ପୂଜା ବ୍ରତ
ଅଛି ଆମ ସଂସ୍କୃତିରେ
ପ୍ରତି ଘରେ ଘରେ ମାଙ୍ଗଳିକ କାର୍ଯ୍ୟ
ତୁମ ଘଟ ଆଗେ ଭରେ ।
ମଙ୍ଗଳ ମୟ ହେ ସିନ୍ଦୁର ବଦନ
ବୁଦ୍ଧିଦାତା ଗଣପତି
ଜ୍ଞାନା ଲୋକେ ତୁମେ ଚିର ସମୁଜ୍ଜଳ
ଆହେ ଧୀର ଶାନ୍ତ ମୂର୍ତ୍ତି ।
ଆହେ ଏକ ଦନ୍ତ ପାବିତୀଙ୍କ ପୁତ୍ର
ବୁଦ୍ଧିରେ ଜିତିଛ ଭ୍ରାତା
ଦେବତା ମାନଙ୍କ ବିପଦ ହରିଛ
ଏ ମହା ବିଭୂତି ଗାଥା ।
ଆହେ ବିଦ୍ୟାଦାତା ଗଣେଶ ବିଘ୍ନେଶ
ସବୁଠି ତୁମର ପୂଜା
ଗାଁ ରୁ ସହର ଉତ୍ସବ ମୁଖର
ଚାରିଆଡେ ସାଜସଜ୍ଜା ।
ହେ ମଙ୍ଗଳ ମୂର୍ତ୍ତି ଅପୂର୍ବ ସେ କାନ୍ତି
ମୋଦକ ପ୍ରିୟ ପ୍ରବୀଣ
ମୂଷିକ ବାହନ ହର ଯେ ଦୁର୍ଗୁଣ
ମହାବିଭୂତି ରେ ପୂର୍ଣ୍ଣ ।
ତୁମେ ଜ୍ଞାନ ଦାତା ତୁମେ ସିଦ୍ଧି ଦାତା
ତୁମେ ମଙ୍ଗଳ ମୂରତି
ପିଙ୍ଗଳ ବର୍ଣ୍ଣର ଅପରୂପ ଶୋଭା
ଅପୂର୍ବ ଯେ ରୂପ କାନ୍ତି ।
ଘରୁ ଦେବାଳୟ ଉତ୍ସବ ଆଳୟ
ତୁମେ ପରା ଅଗ୍ରପୂଜ୍ୟ
ତୁମ ବିଭୂତିରେ ଅଜ୍ଞାନ ତିମିରେ
ଭରଇ ଜ୍ଞାନ ଆଲୋକ ।
ବିଦ୍ୟା ନିକତେନ ଉତ୍ସବ ମୁଖର
ବିଦ୍ୟାଦାତା ଜ୍ଞାନ ଜାତା
ତୁମରି ବିଭୂତି ବରଷି ଯାଅ ହେ
ଧରା ହେଉ ହରା ଭରା ।
ତୁମରି ପୂଜାରେ ଯୁବପ୍ରାଣ ବ୍ୟସ୍ତ
ହେଲେ ଭାବ ହଜି ଅଛି
ଆହେ ଗଣପତି କରୁଛି ମିନତି
ଦିଅ ହେ ବିଭୂତି ସିଞ୍ଚି ।
ହେ ମଙ୍ଗଳମୟ ଯୁବ ପ୍ରାଣେ ଦିଅ
ଜ୍ଞାନର ଆଲୋକ ଶିଖା
ତୁମ ବିଭୂତି ରେ ବିଭା ମୟ ହେଉ
ଯୁବକ ପ୍ରାଣ ବିଥିକା ।
ମୋଦକ ପ୍ରିୟ ହେ ମୂଷିକ ବାହନ
ଜ୍ଞାନଦାତା ସିଦ୍ଧିଦାତା
ତୁମ ବିଭୂତିରେ ଆଲୋକ ଜଗାଅ
ଆଲୋକିତ ହେଉ ଧରା ।
ହେ ମଙ୍ଗଳମୟ ଚିର କାରୁଣିକ
ଲମ୍ବୋଦର ଗଣପତି
ହେ ମଙ୍ଗଳ ମୟ ଦିଅ ହେ ଆଶିଷ
ଧରାରେ ବିରାଜୁ ଶାନ୍ତି ।
