ମନ ତା' ଗରୀବ ନୁହଁ
ମନ ତା' ଗରୀବ ନୁହଁ
ଚାଳ ଛପର ଘର ଟିଏ ଅଛି
ଆମ ଗାଁ ମଶାଣି ପାଖରେ,
ସେହି ଘରେ ପୁଣି ରହେ ରଘୁଭାଇ
ଏକୁଟିଆ ସୁଖ ଦୁଃଖରେ ।
ସକାଳୁ ଉଠିବ ନିତ୍ୟକାମ ସାରି
ବାହାରି ଯାଏ ସେ ବିଲକୁ,
ଯିଏ ଯାହା କହୁ ସବୁ କରି ଦେବ
ମନା କରିବନି କାହାକୁ ।
ଗାଁ ରେ କାହାକୁ ବିପଦ ପଡ଼ିଲେ
ଆଗେ ଯାଇ ଠିଆ ହୁଏ,
ଭାଇ ଭାଇ ମଧ୍ୟେ ଏକତା ରଖ
ବୋଲି ସେ ବୁଝାଇ ଥାଏ ।
ଧନରେ ଗରୀବ ହୋଇପାରେ ସେ
ହେଲେ ମନ ତା ଗରୀବ ନୁହଁ,
ଯେତେ ବାଧା ଯେତେ ବିପତ୍ତି ଆସିଲେ
ନ ଆସେ ତା ଆଖି ଲୁହ ।
