ମନ ମାହାତ୍ମ୍ୟ-୪
ମନ ମାହାତ୍ମ୍ୟ-୪


ଫୁଲ ପରି ନିଜ ମନଟିକୁ ଯଦି
ପାରୁଥିବା ଆମେ କଅଁଳ କରି
ତାହାର ପରଶେ କେତେ ଖୁସି ଫୁଲ
ସାଉଁଟି ପାରିବା ଜୀବନ ଭରି ।
ସେ ଖୁସି ଫୁଲରେ ମନଟିକୁ ମାଖି
ତିଆରି କରିଣ ଅପୂର୍ବ ହାର
ନିଜେ ପିନ୍ଧି ଆନ ଗଳାରେ ଲମ୍ବାଇ
ଦେଉଥିଲେ ଦିଶୁଥିବ ସୁନ୍ଦର ।
ସେହି ହାରୁ ନିତି ଝରି ପଡୁଥିବ
ମାଦକତା ଭରା ପ୍ରୀତି ମହକ
ମହକିତ କରି ଆମ ଚତୁଃପାର୍ଶ୍ୱ
ଭରି ଦେଉଥିବ କେତେ ଯେ ସୁଖ ।
ସେ ସୁଖେ ହୃଦୟ ପୂରି ଉଠୁଥିବ
ଦୂର ହେଉଥିବ କୁତ୍ସିତ ଚିନ୍ତା
ସଦ୍ଭାବନା ମନେ ହୋଇ ଜାଗ୍ରତ
କରିବ ଆମକୁ ଜଗତଜିତା ।
ଜଗତକୁ ଜିଣି କୋଟିଏ ମନକୁ
ଆମେ ଯଦି ଗୁଣେ ବାନ୍ଧି ପାରିବା
ସାର୍ଥକ ହୋଇବ ଜନମ ଜୀବନ
ମହୀପରେ ନିଶ୍ଚେ କୀର୍ତ୍ତି ଅର୍ଜିବା ।