ମନ ମାହାତ୍ମ୍ୟ-୨
ମନ ମାହାତ୍ମ୍ୟ-୨
ମନ ଆକାଶରେ ପ୍ରୀତିର ଜହ୍ନଟା
ଆନ ପାଇଁ ଯଦି ଉଇଁଲା ନାହିଁ,
ସେପରି ମଣିଷ ତା'ର ଜୀବନରେ
ଶୀତଳତା ସ୍ପର୍ଶ ଥାଏ କି ପାଇ ।
ମନ ପୋଖରୀରେ କଇଁ ଫୁଲ ଫୁଟି
ନ ପାରେ ଯଦି ବାସ ଚହଟାଇ,
ତେବେ ବୃଥା ଶୁଖି ଝଡି଼ ପଡ଼େ ସିନା
ତା'ର ମହତ୍ତ୍ବ କି କିଏ ବୁଝଇ ।
ମନ ଗଭୀରତା ମାପିବା ପାଇଁକି
ସେପରି ସାଥୀଟେ ଯଦି ନ ମିଳେ,
ଆଉଟୁପାଉଟୁ ହୋଇଣ ମନଟା
ଖୋଜି ଖୋଜି ରହେନି କି ବିକଳେ ।
ମନ ମରୀଚିକା ପଛେ ଧାଇଁ ଧାଇଁ
ବୁଲୁଥାଏ ଯଦି ତୃଷାର୍ତ୍ତ ହୋଇ,
ତୃପ୍ତିର ଉଦକ କେଉଁଠୁ ଲଭିବ
କୁହ ଯେ ଜନ୍ମିଛ ମରତେ ଏହି ।
ମନ ଯଦି ଧାଇଁ ସମ୍ଭାବନା ଅର୍ଥେ
ସତ୍ କରମକୁ ନିଏ ଆଦରି,
ତେବେ ସେଥୁ ସୁଖ ତୃପତିର ପୁଷ୍ପ
ଗୋଟାଇ ଚାଲେନି କି ଅସୁମାରି ।