ମମତାମୟୀ ମାଆ
ମମତାମୟୀ ମାଆ
ମମତା ସାଗର ମନ୍ଥନୁ ଦିନେ
ବାହାରିଲା ଯେଉଁ ଅମୃତ
ସେହି ଅମୃତର ମୂର୍ତ୍ତିମନ୍ତ ରୂପ
ମାଆ ବୋଲି ହେଲା ବିଦିତ |
ମାତୃ ରୂପରେ ପ୍ରକୃତି ରାଣୀ
ସୃଷ୍ଟି କରଇ ସର୍ଜନା
ମାଆର ବାତ୍ସଲ୍ୟ ପ୍ରେମଘନ ରସେ
ବିଶ୍ୱର ହୁଏ ବନ୍ଦନା |
ମାଆ ସର୍ବଂସହା ବସୁମତୀ ସମ
ସର୍ବ ପୁଷ୍ଟି ତୁଷ୍ଟି ସାଧିନୀ
ସନ୍ତାନ ପାଇଁକି ମାତୃ ସ୍ନେହଧାରା
ଚିର ବେଗବତୀ ବାହିନୀ |
ମାତୃ ସ୍ତନ୍ୟ ଅଟେ ଅମୃତ ଭଣ୍ଡାର
ମୃତ୍ୟୁ ସଂଜୀବନୀ ମୋଦକ
ମାଆର ପଣତ ମାଆର ଆଶିଷ
ସବୁଠୁଁ ଅଭୟ ଦାୟକ |
ଛୋଟା କେମ୍ପା ଅନ୍ଧ ହେଉ ପଛେ ପୁଅ
ମାଆପାଇଁ ଚନ୍ଦ୍ରଉଦିଆ
କୋତରି ଭୁତୁରି ହୋଇଥାଉ ଝିଅ
ମାଆର ସେ ସୁନା ଫରୁଆ |
ଜ୍ୱର ରୋଗ ହେଲେ ମାଆର ଆଖିରୁ
ନିଦ ହୋଇଯାଏ ଅନ୍ତର
ଆକୁଳେ ମନାସେ କେତେ ଯେ ଠାକୁର
ବିକଳେ ଦେଖାଏ ଡାକ୍ତର |
ଦଣ୍ଡେ ହେଲେ ଡେରି ବାଇଆଣୀ ପରି
ମାଆ ଦାଣ୍ଡ ବାଡ଼ି ହୁଏଟି
ପେଟେ ଖାଇଥିଲେ କିଛି ଖାଇନାହିଁ
ଧନ ମୋର ବୋଲି କହେଟି |
ମାଆ ପାଦଧୂଳି କୋଟି ତୀର୍ଥୂ ବଳି
ଅଣହେଳା କର ନାହିଁଟି
ଭାରିଜା ସେନେହୀ ଯେତେ ମାତୃଦ୍ରୋହୀ
ବାଟକୁ ଆସରେ ଲେଉଟି |
