STORYMIRROR

Dr Baman Chandra Dixit

Classics

4  

Dr Baman Chandra Dixit

Classics

ମିଠା ମିଠା

ମିଠା ମିଠା

1 min
376


ଛୋଟ ସଂସାର ମୋ ଛୋଟ ଛୋଟ ଖୁସି

କୁନି କୁନି କଥା କେତେ ମିଠା ମିଠା

ସପନ ବୁଣା ମୋ ନିଦୁଆ ଆଖିରେ

ଆଶା ଭରି ଯାଏ ନିତି ମିଠା ମିଠା ।


ଆବୋରି ଧରିଛି ପୁରା ବଗିଚାକୁ

ଗୋଟେ ଗୋଲାପ ହସୁଛି ଢଳି ଢଳି

ବାଆ ବାଇଆ ବହୁଛି ମନ୍ଦ ମନ୍ଦ

ବାସ ଚହଟି ଉଠୁଛି ମିଠା ମିଠା ।


ଅଳପ ଅଭାବ ଅଛି କେବେ କେବେ

କବାଟ ଫାଙ୍କରୁ ଉଙ୍କି ଦେଖୁଛି ବି

ସ୍ଵଭାଵ ସରଳ ବାହୁ ପସାରିଛି

ଖଟା କଇଁଆଁ ଲାଗୁଛି ମିଠା ମିଠା।


ଅସଜଡ଼ା ଘର ଅଗଣାର ଛାଇ

ଉଲୁରା ଛପର ଖସା ଆଲୁଅରେ

ଟିକେ ଫରଚା ଫରଚା ଦିଶୁଛି ବି

ଛାଇ ଆଲୁଅର ଛଟା ମିଠା ମିଠା।


ଲୁହ ଲାଖିଛି ଓଢଣୀ ପଛ ପାଖେ

ଆଜି ବି ଛୁଇଁଲେ ଦାଗ ଦିଶିଯାଏ

ଆଖି ଅନେଇଁ ଦେଖିଲେ ଫିକାଫିକା

ହେଲେ ବାସନା ଏବେବି ମିଠା ମିଠା ।


ମୁଠେ ମମତା ମୁଠେଇ ଅନେଇଛି

ମାଆ ମଲା ଆଖି ମେଲି ମାଟି ତଳୁ 

ଆଖି ଲୁହ ଟୋପେ ଓଠରେ ଲାଖିଛି

ଜିଭ ଲାଗିଲେ ଲାଗୁଛି ମିଠା ମିଠା ।


ସରାଗ ସେନେହ ମମତାର ମୋହ

ଅନୁରାଗ ଅନୁଭବ ମରେନାହିଁ

ଛାତି କୁହୁଳୁଛି ବୋଲି କହୁଛି ମୁଁ

ଧୂଆଁଳିଆ ଗନ୍ଧ ବଡ଼ ମିଠା ମିଠା।


ଜହ୍ନ ଓହ୍ଲେଇବ ଦିଇ ଦଣ୍ଡ ପରେ

ହେଲେ ଏବେ ବି ଅନ୍ଧାର ଘାରିନାହିଁ

ଅନୁଭୁତି ଅନୁଲୋମ ଆଲୋଡ଼ନ

ଅବ୍ୟକ୍ତ ଆସ୍ୱସ୍ତି ଅତି ମିଠା ମିଠା ।




Rate this content
Log in

Similar oriya poem from Classics