STORYMIRROR

Manjurani Mishra

Abstract Classics Inspirational

4  

Manjurani Mishra

Abstract Classics Inspirational

ମିତଣୀ ଲୋ

ମିତଣୀ ଲୋ

1 min
753

ଗଡି ଗଡି ଯାଏ ଚକ

ସରି ସରି ଯାଏ ଫୁଲ ମହକ ମିତଣୀ ଲୋ

ସୁଖ ପରେ ଆସେ ଦୁଃଖ

ସୁଖ ଦୁଃଖ ବେନି ଭାଇ

ଗୋଟିଏ ମନର ଦୁଇଟି ଛାଇ ମିତଣୀ ଲୋ

ଏ କଥା ଭୁଲିବ ନାହିଁ

ମନେପଡେ ପିଲାଦିନ

ଆଜି ସିନା ସବୁ ସାତ ସପନ ମିତଣୀ ଲୋ

ଲିଭେ ନାହିଁ ରହେ ଚି଼ହ୍ନ

ଡହ ଡହ ଖରାବେଳ 

ମନେପଡେ ଆମ୍ବ ତୋଟା ଗହଳ ମିତଣୀ ଲୋ

ନଈରେ ପହଁରା ଖେଳ

ପଞ୍ଜୁରୀ ଭିତରେ ଶୁଆ

ପୁରୁଣା ଦରବ ଲାଗଇ ନୂଆ ମିତଣୀ ଲୋ

ମନକୁ କରେ କିମିଆ

ଚଉରା ମୂଳେ ମୁରୁଜ

ରାତି ପାହାନ୍ତା ରୁ ହୁଅନ୍ତି ସଜ ମିତଣୀ ଲୋ

ମାଆ ଭଉଣୀ ଭାଉଜ

ସାହୀ ବୁଲା ରଜ ଦୋଳୀ

ଶାଢ଼ୀ ଗହଣା ତ ଭଳିକି ଭଳି ମିତଣୀ ଲୋ

ପିଠା ପଣା ଥାଳି ଥାଳି

ସମୁଦ୍ର ରେ ନଦୀ ମିଶେ

ମନ ହସୁଥିଲେ ଦୁନିଆ ହସେ ମିତଣୀ ଲୋ

ପାଣି ପାଖେ ଯାଏ ଶୋଷ

କାହାକୁ କିଏ କରଇ ବିଶ୍ୱାସ ମିତଣୀ ଲୋ

ରଙ୍ଗ ବଦଳେ ଆକାଶ

କଦଳୀ ପଟୁକା ଡ଼ଙ୍ଗା

ମନ ଭଲ ଥିଲେ ଗାଡ଼ିଆ ଗଙ୍ଗା ମିତଣୀ ଲୋ

ପବନେ ଉଡେ ତ୍ରିରଙ୍ଗା

ଦୁଃଖେ ନହୋଇ କାତର

ଜପୁଥିବ ମନେ କଳାଠାକୁର ମିତଣୀ ଲୋ

ବିପଦ ହୋଇବ ଦୂର

କଦମ୍ବ ଫୁଟିଲା ବନେ

କର୍ମଫଳ ପରା ମିଳିବ ଦିନେ ମିତଣୀ ଲୋ

ଏ କଥା ରଖିବ ମନେ

ଦେଉଳ ଭିତରେ ଦିଅଁ

ମାନସିକ କରି ପ୍ରଣାମ ହୁଅ ମିତଣୀ ଲୋ

ସତ୍ୟର ହୋଇବ ଜୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract