ମିତଣୀ ଜବାବ
ମିତଣୀ ଜବାବ
ମିତଣୀଲୋ.......
ତତେ ମୁଁ ସତରେ ପାରୁନି ଭୁଲି
ଯାହା ତୁ ପଚାରୁ ଜବାବ ଦେଲି !
ବଜାର ହାଟରେ ରଖୁନି ପାଦ
ବାତରା ଲୋକ ତ ପିଅନ୍ତି ମଦ !
ମିତଣୀଲୋ.......
ଏକାକୀ ଦେଖିଲେ ଓଢ଼ଣୀ ଟାଣି
ଦଳଙ୍କ ସାଥିରେ ଛାଡ଼ନ୍ତି ବାଣୀ !
ମାଆକି ଭଉଣୀ ନାହାନ୍ତି ତାଙ୍କ
ପାଖରେ ପାଇଲେ ସତର ରଙ୍କ !
ମିତଣୀଲୋ.......
ଭାଗ୍ୟକୁ ନିନ୍ଦିକି ଜନମ ଝିଅ
ଘରକୁ ବାହାର ଅଡୁଆ ଖିଅ !
ଲୁହରେ ଅଣ୍ଡାଳି ଆଖିକୁ ପୋଛେ
ଭଲରେ ଚଳିବା ରହୁଛି ପଛେ !
ମିତଣୀଲୋ.......
ଦୁନିଆଯାକର ଚିନ୍ତାକୁ ଜଡ଼ି
ଖଟରେ ପଡୁଛି ମୁହଁକୁ ମାଡ଼ି !
ଦେଖୁଛି ଅତୀତ ବାଳୁତ ଦିନ
ଖେଳିବା ବଢ଼ିବା ଉସତ ମନ !
ମିତଣୀଲୋ.......
ବୋଉ ମୋ ବୁଝାଏ ନାନାଦି କଥା
ତଥାପି ପାସୋର ଯାଉନି ବ୍ୟଥା !
ବାପା ବି କଦବା ଆସନ୍ତି ପାଖ
ମୁଣ୍ଡ ମୋ ସାଉଁଳି କରନ୍ତି ଦୁଃଖ !
ମିତଣୀଲୋ.......
ବଢ଼ିଲା ଝିଅର ମହତ କହି
ଶାସକ ବିରୋଧୀ ନୁହନ୍ତି କେହି !
ସିନ୍ଥିରେ ସିନ୍ଦୂର ବାଜିବ ଆଶା
ଭାବନା ଲେଖିବି ପାଉନି ଭାଷା !
