STORYMIRROR

Kabiratna Nutan Kumar Behera

Action Inspirational

4  

Kabiratna Nutan Kumar Behera

Action Inspirational

ମିଶୁ ମୋର ଦେହ ଏ ଦେଶ ମାଟିରେ

ମିଶୁ ମୋର ଦେହ ଏ ଦେଶ ମାଟିରେ

1 min
390

   

ପଦିଏ କବିତାର ପଂକ୍ତିରେ ଯା'ଙ୍କର ଝଲସେ ଛବି

ଥରାଇ ଦିଏ ସବୁ ତନ୍ତ୍ରୀ ଖେଳାଏ ରୋମାଞ୍ଚ

ମନ୍ଥି ଦେଇ ହୃଦୟ ସାଗରରେ ବାଡବାଗ୍ନି

ଆଲୋଡ଼ିତ କରେ ମନର ଚିନ୍ତା ଚେତନାକୁ

କଥା ଆଉ କାମରେ ସମନ୍ଵୟତା ଥିଲା ସଦା

ଦାୟିତ୍ଵ ଓ କର୍ତ୍ତବ୍ୟରେ ଶତ ପ୍ରତିଶତ

ନିଛକ ସତ୍ୟ ଅହିଂସାର ସେ ଯୁଗ ପୁରୁଷ

ଓଡ଼ିଆ ଜାତିର କର୍ଣ୍ଣଧାର ପ୍ରାଣ ସ୍ପନ୍ଦନ

ଉତ୍ସର୍ଗୀକୃତ ଥିଲା ତାଙ୍କର ସମଗ୍ର ଜୀବନ

ବାସ୍ତବବାଦୀ ଜାତୀୟତାବୋଧରେ ସନ୍ନ୍ୟାସୀ

ଥିଲେ ଚିରକାଳ ଅମ୍ଳାନ ନିଷ୍କଳଙ୍କ ପବିତ୍ର ଯିଏ

ଅଙ୍ଗେଲିଭା ଅନୁଭୂତି ଅଭିଜ୍ଞତାରୁ

ମର୍ମସ୍ପର୍ଶୀ ବାଣୀଟିଏ ରଚି ଦେଇଥିଲେ ତାଙ୍କ

" ବନ୍ଦୀର ଆତ୍ମକଥା " କବିତାର ପଦ ମଧ୍ୟରେ

" ମିଶୁ ମୋର ଦେହ ଏ ଦେଶ ମାଟିରେ,

ପୂରୁ ତହିଁ ପଡ଼ି ମୋର ମାଂସ ହାଡ଼ "

ସ୍ମରଣ ମାତ୍ରେ ଜାଗି ଉଠେ ଓଡ଼ିଆଙ୍କ ପ୍ରାଣ

ସେ ଚିର ପୂଜ୍ୟ ନମସ୍ୟ ସଦା ପ୍ରଣମ୍ୟ

ଉତ୍କଳର ମଉଡମଣି ଉତ୍କଳମଣି ଗୋପବନ୍ଧୁ

ଆଦ୍ୟ ଶୈଶବ ଜୀବନେ ହରାଇଥିଲେ ମାତାଙ୍କୁ

କୈଶୋରରେ ସାହା ଭରସାର ପିତୃଦେବଙ୍କୁ

ସହି ଅସୀମ ଜୀବନ ଯନ୍ତ୍ରଣାର ମାଡ଼

ଶାନ୍ତ ନମ୍ର ଉଦାର ଚିତ୍ତେ ରହି ସ୍ଥିର ପ୍ରଜ୍ଞ

କଲେ ବହୁ ଅସାଧ୍ୟ ସାଧନର ସେବା ଯତ୍ନ

ହୋଇ ସେ ଜନନାୟକ ଦେଶ ଜାତିର ଲାଗି

ଭୁଲି ଯାଇଥିଲେ ବ୍ୟକ୍ତିଗତ ଜୀବନ

ଭାଷା ଆନ୍ଦୋଳନରୁ ସ୍ବାଧୀନତା ସଂଗ୍ରାମ

ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ

ସବୁ ସଂଗଠନେ ଥିଲେ ଅଗ୍ରଦୂତ ପଥପ୍ରଦର୍ଶକ

ମାତୃଭୂମି ମାତୃଭାଷାରେ ଥିଲା ତାଙ୍କର

ଅନନ୍ୟ ସ୍ଵେଚ୍ଛାକୃତ ବଳିଦାନ

ସମାଜ ଓ ସତ୍ୟବାଦୀ ପତ୍ରିକାର ପ୍ରତିଷ୍ଠାତା

ମର୍ମେ ମର୍ମେ ଭୋଗି ଦାରିଦ୍ର୍ୟର କଷାଘାତ

ଜୀବନକୁ କରିଥିଲେ ତ୍ୟାଗରେ ତ୍ୟାଗପୂତ

ସେ ବରେଣ୍ୟ ମହାନ୍ ଅମର ଆତ୍ମାଙ୍କ

ପାଦେ କୋଟି କୋଟି ଶ୍ରଦ୍ଧା ଅର୍ଘ୍ୟର ପୁଷ୍ପାଞ୍ଜଳି

ଜନ୍ମ ଜୟନ୍ତୀରେ ଓଡ଼ିଆ ଜାତି ଦିଅନ୍ତି ଢାଳି

ସୂକ୍ଷ୍ମଲୋକେ ଥାଇ ଦିଅନ୍ତୁ ସେ ଆଶିଷରେ

ଏ ଓଡ଼ିଆ ପ୍ରାଣକୁ ସୁବୁଦ୍ଧି ସତ୍ୟଜ୍ଞାନ

ବଞ୍ଚି ରହୁ ମା' ମାଟିର ସ୍ଵାଧୀନତା ସ୍ଵାଭିମାନ।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action