ମିଛ
ମିଛ
ଏଠି ଚେହେରାରେ ମିଛ, ଇଶାରାରେ ମିଛ
ମୁଖଭଙ୍ଗୀ ମିଛ କହେ,
ବିବୃତିରେ ମିଛ, ଆବୃତିରେ ମିଛ
ଚରିତ୍ର ବି ମିଛ କହେ।
ଏଠି ସମ୍ପର୍କରେ ମିଛ, ବିତର୍କରେ ମିଛ
ଜୀବନର ଅର୍କ ହଜେ,
ଭାବନାରେ ମିଛ, ସମ୍ଭାବନା ମିଛ
ସ୍ୱପ୍ନ ଏଠି ନିଦ ଖୋଜେ।
ଏଠି ନ୍ୟାୟାଳୟେ ମିଛ, କାର୍ଯ୍ୟାଳୟେ ମିଛ
ଗୀତା ଛୁଇଁ ମିଛ ଶୁଭେ,
ବାଦୀ ତୁଣ୍ଡେ ମିଛ, ପ୍ରତିବାଦୀ ମିଛ
ସାକ୍ଷୀ ବି ମିଛ ପ୍ରଭାବେ।
କବି କହେ ମିଛ, ପ୍ରତିଛବି ମିଛ
ପ୍ରେମ ବି ମିଛରେ ଭିଜେ,
ମିଛ ଆଜି ସତ ଶିରସ୍ତ୍ରାଣ ପିନ୍ଧି
ଜୀବନ ଆୟୁଧ ସାଜେ।
ଏତେ ମିଛ ଭିଡ଼ ଭିତରେ ସଲ୍ଲଜେ
ସଞ୍ଜ ନଇଁ ନଇଁ ଆସେ
ପରିଚୟ ହୁଏ ଧୂଆଁଳିଆ ଧୀରେ
ଅନ୍ଧାର ଆବୋରି ବସେ।
ଆଇନା ସେପାଖେ ଚିହ୍ନା ଚେହେରାଟି
ଛିଗୁଲାଇ ହସି ଦିଏ,
ଜଳକା ଆଖିର ନେତ୍ର ରଶ୍ମି ଆପେ
ଆପେ କେନ୍ଦ୍ରୀଭୂତ ହୁଏ।
