ମିଛ ଗୋଲାପର ମାୟା ମହଲ
ମିଛ ଗୋଲାପର ମାୟା ମହଲ
ମୋ' ଭଲ ପାଇବା ବେପାର ନ ଥିଲା
ସପନ ବଣିକ
କେବେ ମୁଁ ସାଜି ନଥିଲି ।
କେମିତି ଭାବିଲ ତୁମ ନାମ ନେଇ
ତୁମ ସପନକୁ
ବଜାରରେ ବିକିଦେଲି ?
କାହାରି ସପନ ବିକି ହୁଏ କ'ଣ
ଆପେ ଆସେ,ପୁଣି
ଆପେ ଆପେ ଯାଏ ହଜି ।
ସପନ ଦେଖିବା ସାର ହୁଏ ସିନା,
ବିତର୍କିତ ହୋଇ
ସନ୍ତର୍ପଣେ ଯାଏ ଭିଜି ।
ବିକି ତ ଦେଇନି, ହଜେଇ ଦେଇଛି
ତୁମକୁ,ତୁମରି
ଛଳନା ନଈ ତୁଠରେ ।
ଛଳନାଟା ସତେ ଏଡ଼େ ଆତ୍ମଘାତୀ,
ଆତ୍ମୀୟପଣକୁ
ଡହଳ ବିକଳ କରେ ।
ହଜାର ହଜାର ପ୍ରେମର ବଜାରେ
ରଙ୍ଗ ବେରଙ୍ଗର
କେତେ କେତେ ପ୍ରଜାପତି ।
ମିଛ ଗୋଲାପର ମାୟା ମହଲରେ
ତିଷ୍ଠି କି ପାରିବ
ପ୍ରଣୟନିଷ୍ଠ ପୀରତି ?
ଆଇନା ଆଗରୁ ଚେହେରାଟି ସିନା
କ୍ଷଣିକ ପାଇଁକି
ଦୂରକୁ ଆଡେଇ ଯାଏ ।
ଆଇନା ଭିତରେ ପ୍ରତିବିମ୍ବ ହୋଇ
ଆଜୀବନ ପାଇଁ
ସୁପ୍ତ ସତ୍ୟ ହୋଇ ରୁହେ ।
ପ୍ରଣୟ ବେଳାରେ ପ୍ରୀତି ପ୍ରତାରଣା
ନୂଆ ନୁହେଁ,ତାହା
ଇତିହାସର କଳଙ୍କ ।
ଯୁଗରେ ଯୁଗରେ ପ୍ରହାର ଭିତ୍ତିରେ
ଫଗୁଣ ନୁହେଁ କି
ମଳୟର ପ୍ରହାରକ !
ସପନ ବଣିକ ହୋଇନି କେବେ ମୁଁ,
ରୂପ ସୌଦାଗରୀ
ସାଜିଲ ବରଂ ସ୍ୱାର୍ଥରେ ।
ନାରୀ ନିର୍ଯାତନା ଶୁଣିଥିଲି ସିନା,
ପୁରୁଷେ ପ୍ରହାର
ଦେଖିନେଲି ସଂପ୍ରତିରେ ।
ଯାହା କୁହ ପଛେ ଭଲ ପାଇବା ହିଁ
ପ୍ରଣୟର ଧର୍ମ,
ଶଠ ପ୍ରୀତି ନୁହେ କାମ୍ୟ ।
ନୀଚପ୍ରୀତି ଅବା ସ୍ୱାର୍ଥପର ପ୍ରୀତି
ପ୍ରେମରେ କଳଙ୍କ
ପ୍ରତାରଣା ତା'ର ଧର୍ମ ।