ମହାସତୀ ସାବିତ୍ରୀ
ମହାସତୀ ସାବିତ୍ରୀ
ଆର୍ଯ୍ୟ ବଧୂ ଥିଲେ ଅଶ୍ଵପତି କନ୍ୟା
ପତିବ୍ରତା ମହାସତୀ ,
ସାବିତ୍ରୀ ନାମରେ ସଂସାରେ ବନ୍ଦିତା
ପତି ତାଙ୍କ ଗତି ମୁକ୍ତି ।
ଜଙ୍ଗଲ ମଧ୍ୟରେ ସର୍ପ ଦଂଶନରେ
ଛାଡ଼ିଗଲା ପତି ପ୍ରାଣ ,
ଯମଙ୍କୁ ଭକ୍ତିରେ ତୋଷ କରି ରକ୍ଷା
କଲେ ସ୍ବାମୀଙ୍କ ଜୀବନ ।
ସେହି ଦିନ ଠାରୁ ସ୍ବାମୀଙ୍କ ଦୀର୍ଘାୟୁ
ଜୀବନ କାମନା କରି ,
ଭକ୍ତିରେ ସାବିତ୍ରୀ ବ୍ରତଟି ପାଳନ୍ତି
ପ୍ରତ୍ୟେକ ସଧବା ନାରୀ ।
ବଦଳି ଗଲାଣି ବ୍ରତର ଆଦର୍ଶ
ଭୁଲିଲେଣି ପରଂମ୍ପରା ,
ଆଡମ୍ବରେ ବେଶୀ ଗୁରୁତ୍ବ ଦିଅନ୍ତି
ଅଧିକାଂଶ ନାରୀ ପରା ।
ସାବିତ୍ରୀ ବ୍ରତଟି ପାଖେଇ ଆସିଲେ
ମୁଣ୍ଡ ବୁଲାଏ ସ୍ବାମୀର ,
ଫଳମୂଳ ସହ ପୂଜା ସାମଗ୍ରୀର
ଶୁଣି'ଯା ବଜାର ଦର।
ସେଦିନ ସାବିତ୍ରୀ ଯମରାଜ ଠାରୁ
ବଞ୍ଚାଇ ଥିଲେ ସ୍ବାମୀକୁ,
ପତ୍ନୀ ଏବେ ଲମ୍ବା ତାଲିକା ଧରାଇ
ପଠାଏ ଯମ ପୁରକୁ।
ପତି ଟି ବିଚରା ଘୁରି ବୁଲୁଥାଏ
ଏ ଦୋକାନୁ ସେ ଦୋକାନ,
ପ୍ରାଣ ପ୍ରିୟା ଆଶା ପୂରଣ ନିମନ୍ତେ
ଛାଡିଯାଏ ଅଧା ପ୍ରାଣ।
ପତିଙ୍କର ସୁଖ ଶାନ୍ତି ଓ ଆୟୁଷ
ଭିକ୍ଷା ପାଇଁ କର ପୂଜା,
ଯାହା ପାଇଁ ପୂଜା ଅଶାନ୍ତିରେ ରଖି
ଦିଅ ନାହିଁ ତାଙ୍କୁ ସଜା।
ତୁମ ଭୋଗ ରାଗ ଶାଢ଼ୀ ଓ ଚୁଡିରେ
ସନ୍ତୁଷ୍ଟ ହୁଏନା ମାଆ,
ନିଷ୍କାମ ଭକ୍ତିରେ ଆରାଧନା କଲେ
ମାଆ ହୋଇଥାଏ ସାହା।
