ମହାପ୍ରସାଦ
ମହାପ୍ରସାଦ
ଚାରି ଧାମ ମଧ୍ୟେ ଶ୍ରୀରିକ୍ଷେତ୍ର ଧାମ
ସବୁଠାରୁ ଶ୍ରେଷ୍ଠ ହୋଇ
ସବୁ ସେଠି ବଡ଼ ସଭିଏଁ ସମାନ
ଭେଦର ବିଚାର ନାହିଁ ।।
ମନ୍ଦିରେ ଠାକୁର କାଳିଆ ସାଆନ୍ତ
ସଙ୍ଗେ ଭାଇ ବଳଭଦ୍ର
ଭଉଣୀ ସୁଭଦ୍ରା ରତନ ବେଦୀରେ
ପୂଜା ପାଆନ୍ତି ଏକତ୍ର ।।
ଅନ୍ନ ବ୍ୟଞ୍ଜନ ହେଲା ପରେ ଭୋଗ
ବିମଳାଙ୍କୁ ସମର୍ପଣ
ବଢ଼ା ନ ହୋଇଣ କୁଡ଼ୁଆରେ ଥାଏ
ମହା ପ୍ରସାଦ ତା' ନାମ ।।
ଅବଢ଼ା,ନିର୍ମାଲ୍ୟ,ମାହାର୍ଦ୍ଦ, କୈବଲ୍ୟ
ଚାରିଗୋଟି ନାମେ ଜଣା
ତିନିଗୋଟି ଏକ ଅବଢ଼ା ପାର୍ଥକ୍ୟ
ଏହି କଥା ମନେ ଘେନା ।।
କାଣିଚାଏ ଦୁଇ ଆଙ୍ଗୁଠିରେ ପାଇ
ନିର୍ମାଲ୍ୟ ମାହାର୍ଦ୍ଦ କୈବଲ୍ୟ ହୋଇ
ଆନନ୍ଦ ବଜାରେ ମନ ଆନନ୍ଦରେ
ଅବଢ଼ାକୁ ଖାଉ ପେଟ ପୂରାଇ ।।
ମାହାତ୍ମ୍ୟ ଅନେକ ଏହି ପ୍ରସାଦରେ
ମହା ପାତକ ନାଶ ଯାଇ...
ଶୁଖା ବାସି ହେଉ ଅବା ଦୂରେ ଯାଉ
ଅବା ଖଳ ଲୋକ ଦେଉ ଛୁଇଁ
ହୁଏ ନାହିଁ ତାର ପବିତ୍ରତା ନଷ୍ଟ
ପାପ ନାଶ କରୁଥାଇଁ ।।
ସେବନ କରିଲେ ମହା ପ୍ରସାଦ
ପାପ ମାନେ କରିଣ କ୍ରନ୍ଦନ
ବାରମ୍ବାର ଦୀର୍ଘଶ୍ୱାସ ତ୍ୟାଗ କରି
ଚାଲିଯାନ୍ତି ବହୁ ଦୂର ।।
ପଶୁ ପକ୍ଷୀ ମୁଖୁ ଅନ୍ନପ୍ରସାଦ
ପତିତ ହୁଅଇ ନିତ୍ୟ
ତାହାକୁ ପାଇବାକୁ ସବୁ
ଦେବ ସୁର ଗଣ ତ୍ୟାଗକରି ସ୍ୱର୍ଗପୁର
ଆସନ୍ତି ପୁରୁଷୋତ୍ତମ ଧାମ କ୍ଷେତ୍ରର ।।
ମନ ମୋର ସଦା ହୁଏ ତତପର
ଯିବାକୁ ପୁରୁଷୋତ୍ତମ
ପେଟ ପୂରାଇଣ ଅବଢ଼ା ଖାଇ
ନାଶିବାକୁ ପାପ ତମ ।।