ଜହ୍ନରେ ଜୟହିନ୍ଦ୍
ଜହ୍ନରେ ଜୟହିନ୍ଦ୍
ଜୟହିନ୍ଦ୍ ଜୟହିନ୍ଦ୍ ଶବଦ
ରଟିଲା ସାରା ଏ ବିଶ୍ବ ।
ଚାହିଁ ରହିଥିଲେ ସରବେ
ଜହ୍ନରେ ବିକ୍ରମ କଲା ପ୍ରବେଶ ।
ମହାକାଶ ବୈଜ୍ଞାନିକ ଇସ୍ରୋର
ସ୍ବଦେଶୀ ଜ୍ଞାନ କୌଶଳେ ।
ଜହ୍ନରେ ସ୍ଥିରରେ ଲ୍ୟାଣ୍ଡର୍ ଥାପିଲେ
ବିଶ୍ବ ଦ୍ରଷ୍ଟା କୌତୁହଳେ ।
ଜହ୍ନର ଦକ୍ଷିଣ ମେରୁରେ ଓହ୍ଲାଇ
ବିକ୍ରମ ରଖିଲା ପାଦ ।
ଜହ୍ନରେ ଶୁଭିଲା ଜୟହିନ୍ଦ୍
ଜୟହିନ୍ଦ୍ ଶବଦ ନାଦ ।
ଆମ ଏ ଭାରତ ନୂଆ ଇତିହାସ
ରଚିଲା ଜହ୍ନ ଉପରେ ।
ଆମରି ତ୍ରିରଙ୍ଗା ଫର ଫର ହୋଇ
ଉଡୁଛି ଏବେ ସେଠାରେ ।
ବିଚିତ୍ର ବିନ୍ଧାଣୀ ଆମ ବୈଜ୍ଞାନିକ
ଧନ୍ୟବାଦ ତାଙ୍କୁ ଦେବା ।
କେତେ ଯେ ବିଚିତ୍ରକର୍ମା ସହାୟକ
ତାଙ୍କୁ ବି ଧନ୍ୟ କହିବା ।
ନୂତନ ଦିଗନ୍ତ ଭାରତ ଦେଖାଏ
ଯୁଗେ ଯୁଗେ ଏ ବିଶ୍ବକୁ ।
ଆମ ବେଦଜ୍ଞାନ ଆମ ଦିବ୍ୟଜ୍ଞାନ
ଅଲୌକିକ ମହିମାକୁ।
କରିବା ସ୍ମରଣ ପୁଷ୍ପକବିମାନ
ଦିନେ ଏଠି ଚଳୁଥିଲା ।
ପଠାଣି ସାମନ୍ତ ସିଦ୍ଧାନ୍ତ ଦର୍ପଣ
ମହାକାଶ ଜ୍ଞାନ ଦେଲା ।
ଜ୍ଞାନ ବିଜ୍ଞାନର ଗନ୍ତାଘରଟିଏ
ଆମ ଏ ଭାରତ ବର୍ଷ ।
ସକଳ ବିଦ୍ୟାର ଜନନୀ ଭାରତ
ନୁହଇ କେବେ ସେ ନିଃଶ୍ଵ।
ଭାରତ ବର୍ଷର ଗାରିମାର ଗୀତି
ବିଶ୍ବକୁ ବାରତା ଦିଏ ।
ଅମୃତ ସନ୍ତାନ ବିଶ୍ବ ସମୁଦାୟ
ଏକସୂତ୍ରେ ବନ୍ଧା ହୁଏ ।
ଜୟହିନ୍ଦ୍ ନାଦ ଜହ୍ନରେ ଶୁଭିଲା
ପ୍ରଜ୍ଞାନ ପଠାଏ ଚିତ୍ର ।
ଜହ୍ନ ରାଇଜର ଅଜଣା କଥାକୁ
ଜାଣିବ ଆଗ ଭାରତ ।
ସଭିଙ୍କୁ ବଧାଇ ଦିଅ ଏଥିପାଇଁ
ସମ୍ମିଳିତ ଚେଷ୍ଟା ବଳେ ।
ଅସାଧ୍ୟ ସାଧନ ହୋଇବ ନିଶ୍ଚୟ
ସବୁ ଏଇ ରବି ତଳେ ।