ସ୍ୱାଧୀନ ଆମେ
ସ୍ୱାଧୀନ ଆମେ
ଜନମ ମୋହର ସ୍ଵାଧୀନତା ପରେ
ପାଠ ପଢି ଯାହା ଜାଣିଛି,
ଦେଖୁନାହିଁ ସବୁ ହଜି ଯାଇଅଛି
କେମିତି ସ୍ୱାଧୀନ ହୋଇଛି ।
ସଭ୍ୟତା, ସଂସ୍କୃତି ଆଦର କମୁଛି
ପରମ୍ପରା ଲୁଚି ଯାଉଛି,
ନିଜ ଦେଶ ଛାଡି ବିଦେଶରେ ରହି
ନିଜ ମାଟି ଭୁଲିଯାଉଛି ।
ଅହିଂସା ବଳରେ ହିଂସାକୁ ଜିଣିଛି
ଲେଖା, ଶୁଣା କଥା ଇଏ,
ଶୋଷଣ ହୁଅନ୍ତି ଜନତା ଏଠି ଯେ
ଦୃଷ୍ଟି ଦେଇଛି କି କିଏ ।
ସବୁରି ସ୍ତରରେ ଗୁଂଜାଗୁଞ୍ଜି ପନ୍ଥା
ଦିଅନିଅ ସଂସ୍ଥା ମେଲିଛି,
ଝାଳଧନ କେତେ ଆଳରେ ଲୁଟେ ସେ
ବନ୍ଦୋବସ୍ତ ହାତେ ରହିଛି ।
ମଦ ବାଣ୍ଟିବାଣ୍ଟି, ପୁଲା ଖାଇପିଇ
ସ୍ୱାଧୀନ ବୋଲାନ୍ତି ଜନତା,
ଅପାଠୁଆଙ୍କୁ ଯେ ପାଠୁଆ ପଢ଼ାନ୍ତି
କିଛି ନବୁଝି ସେ ଫୁଟାନ୍ତି ଛତା ।
ଭାଷଣ ତାଙ୍କର ଏଡ଼େ ମଧୁର ଯେ
ସତେ ସେହିଁ ବଡ଼ ଦେଶ ସେବକ,
ମୁରୁଖ ସମାଜ ତଥାପି ବୁଝେ କି
ମୁଣ୍ଡେ ପଡିଲେ ବି ଚଡକ ।
ଉନ୍ନତି ନାମରେ ନିଜ ଉନ୍ନତି ଯେ
ବଢ଼ଇ ତାଙ୍କର ପୁଞ୍ଜି,
ଜନତାଙ୍କୁ ସିଏ କେତେ ଲୁଟିଯାନ୍ତି
ଯୋଜନା ଦିଅନ୍ତି ଖଞ୍ଜି ।
କେମିତି କହିବି ସ୍ୱାଧୀନ ମୁଁ ଏଠି
ନ୍ୟାୟ ମିଳେନାହିଁ ଯେଉଁଠି,
ଦଣ୍ଡ ବଦଳରେ ମୁକୁଳିବା ରାସ୍ତା
ପାଠ ପୁଣି ହାତେ ଚାବିକାଠି ।
କଥାରେ ଭରନ୍ତି ଦାମ୍ଭିକତା ତାଙ୍କ
କାମକୁ ମୋଟେ ସେ ନୁହେଁ,
ତଥାପି ମଣିଷ ବୁଝୁଅଛି କାହୁଁ
ସବୁଥିରେ ହାଣ ଖାଏ ।
ତାଙ୍କ ନୀତିରେ ସେ ରାଜ କରିଥାନ୍ତି
ସଜାଇ ସବୁଙ୍କୁ ଭକୁଆ,
ତାଙ୍କ ପାଇଁ ପାଠ ବଦଳି ନଗଲେ
କହିବିନି ମୁଁ ଯେ ପାଠୁଆ ।
ଲେଖାପଢା ମୋର ନାମକୁ ମାତର
ଦେଖେନି ଏ ପାଠ ମହତ,
ଯେଉଁଠି ଯାଉଛି ସେଇଠି ଭେଟିଛି
ରହିଛି ତାଙ୍କର ଲମ୍ବାହାତ ।
ବହିରେ ସେମିତି ପାଠ କାଇଁ ନାହିଁ
ରହିନି ସେଭଳି କିଛି ନୀତି,
ଜନତା ଯେଉଁଠି ଜାଗ୍ରତ ହେବେନି
ଉଠିବେନି ସିଏ କେବେ ଚେତି ।
