STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ମହାକାଳୀ ବନ୍ଦନା

ମହାକାଳୀ ବନ୍ଦନା

1 min
335

କରାଳ ବଦନୀ ବିପୁଳ ଦଶନୀ

ଦୟାମୟୀ ଚତୁର୍ଭୁଜା

ସଙ୍କଟା ବିକଟା ତୁହି ମହୋତ୍କଟା

ଚଉଦ ଭୁବନେ ପୁଜା l


ନୃମୁଣ୍ଡ ମାଳିନୀ କହ ଲହ ଜିହ୍ୱା

ଶିନ୍ଥୀରେ ସିନ୍ଦୁର ଚିତା

ସଦ୍ୟଛିନ୍ନ ଶିର ବାମହସ୍ତେ ତୋର

ଦୟାମୟୀ ଖଡ୍ଗହସ୍ତା l


ଶ୍ୟାମାଙ୍ଗୀ ଶ୍ୟାମା ତୁ ଉନ୍ମୁକ୍ତ ଜଘନା

ଶିବାରୁଢ଼ା ଦିଗମ୍ବରୀ

ସ୍ମଶାନ ବାସିନୀ ବିକଟ ହାସିନୀ

ପୀନୋସ୍ତନି ଭୟଙ୍କରୀ l


କଟି ଦେଶେ ଶୋଭେ ଛିନ୍ନ ହସ୍ତମାଳା

ତ୍ରିନେତ୍ରରେ ଦିବ୍ୟ ଜ୍ୟୋତି

ଶବାରୁଢ଼ା ମାତା ଭୀତୀପ୍ରଦେ ଦେବୀ

ପାପୀ ଜନେ ଦେଉ ଭୀତି l


ମହାରୋୖଦ୍ରି ଘନ କୁନ୍ତଳ ମୁକୁଳା

ଦକ୍ଷିଣ କାଳିକା ତୁହି

ଭୟଙ୍କର ତୋର କିଳି କିଳା ରବେ

ପ୍ରକମ୍ପିତ ହୁଏ ମହୀ l


ମନ୍ଦାର ମାଳିନୀ ସଙ୍ଗତେ ଯୋଗିନୀ

ଚଣ୍ଡୀ ଚାମୁଣ୍ଡାଙ୍କୁ ଧରି

ଚଉଦ ବ୍ରହ୍ମାଣ୍ଡେ ଭ୍ରମଣ ତୋହରି

ମହାକାଳୀ ମାହେଶ୍ୱରୀ l


ଦୁଷ୍ଟ ସଂହାରଣେ ମହାଦେବୀ ତୁହି

ଅତୀବ କରାଳ ରୂପା

ସନ୍ତାନ ବତ୍ସଳା ତ୍ରିପୁର ମୋହିନୀ

ସନ୍ତାନେ କରୁ ତୁ କୃପା l


ସିଦ୍ଧି ପ୍ରଦାୟିନୀ ଜଗତ ଜନନୀ

ନମସ୍ତୁତେ ନାରାୟଣୀ

ଦୟାକର ଦୟାମୟୀ ତୋର ପଦେ

ଅଜ୍ଞାନ କରେ ଦୟିନୀ ।


Rate this content
Log in

Similar oriya poem from Inspirational