STORYMIRROR

Upendra prasad Mahala

Romance Inspirational

4  

Upendra prasad Mahala

Romance Inspirational

ମେଘ ମହ୍ଲାର

ମେଘ ମହ୍ଲାର

1 min
366


ଡମ୍ବରୁ ଧ୍ବନି ଶୁଭୁଛି ଶୂନ୍ୟରେ
କେହି ତ୍ରିଶୂଳ ଭୁଶି ଦେଉଛି
ମେଘଙ୍କ ବାଷ୍ପିତ ଛାତିରେ
ଚମକୁଛି ବିଜୁଳି କନ୍ୟା।
ବୁଣିପଡୁଛି ମେଘମହ୍ଲାର
ଝଙ୍କାର ଭୂମିରୁ ଭୂମା ଯାଏ।


ଅଜଣା ପ୍ରେମିକା ସହ ଭାବ 
ଯୋଡିଛି ଅବୁଝା ରାଜକୁମାର
ମନ କାନ୍ତାର ଶୁଖିଲା ପଡିଛି।
ଶୁଣାଇ ମେଘମହ୍ଲାର ରାଗିଣୀ
ମାଟିକୁ ଓହ୍ଲାଇ ଆଣିବ
ରଂଗବତୀ ମେଘକନ୍ୟା।


ନିର୍ଜନ ରାତିରେ କେତେବେଳୁ
ଏକାଏକା ବସି ବୀଣାରେ
ତୋଳୁଛି ପ୍ରୀତିମୟ ଝଙ୍କାର।
ବିରାମ ନାହିଁ କି ବିଶ୍ରାମ ନାହିଁ
ଅଂଗୁଳିରୁ ଝରିଲାଣି ଲହୁ
ଭୂଇଁରେ ଲୋଟିପଡୁଛି
ରକ୍ତଯବା କୁସୁମ !!


ଅ।ସିବ ମେଘକନ୍ୟା ଅ।ସିବ
ଓଦାଓଦା ନିଃଶ୍ବାସରେ ମହକିବ
ମାଟି, ଭିଜିବ ଦେହମନ 
ମେଘ ମହ୍ଲାର ସୁରେ ଭରିଯିବ 
ଧରଣୀ ବୁକୁରେ ସବୁଜିମା ।


କେତେବେଳୁ ବୀଣାର ରାଗିଣୀ
ରାତିର ନିରବତା ଭାଙ୍ଗୁଛି 
ମନେ ନାହିଁ, କେତେବେଳ
ବିତିଲାଣି ଜଣା ନାହିଁ 
ଅଟକି ଯାଉନି ଅଙ୍ଗୁଳି
ବୀଣାର କମ୍ପିତ ତାରରେ।
ଦରଦର ହୃଦୟ, ଥରଥର କଣ୍ଠ
ବଢି ଚାଲିଛି ମନର ଶୋଷ।


କାନ ଡେରିଛି ରାଜପୁତ୍ର ଶୁଣିବାକୁ
ଆକାଶରୁ ଓହ୍ଲାଇ ଆସିବା 
ବେଳେ ମେଘ କନ୍ୟାର
ଛମଛମ ପାଉଁଜି ସ୍ୱର ।


ଶୂନ୍ୟରେ ରହିରହି ବାଜୁଛି
ଡମ୍ବରୁ, ଶୁଭୁଛି ଗମ୍ଭୀର ନାଦ।
ମେଘମାନେ ହାତୀ ବେଶ ହେଇ
ପେଟେପେଟେ ପାଣି ପିଇ ସମୁଦ୍ରରୁ
ଫେରିଲେଣି ଅନେକ ବେଳୁ ।
କାହିଁକି ଏତେ ବିଳମ୍ବ ? 
ରୁଷିଛି କି ମଦାଳସୀ ବର୍ଷା,
ଛିଣ୍ଡି ପଡିଛି କି ପାଦରୁ ନୂପୁର।


ଅ।ଖିରେ ଅ।ଖିଏ ନିଶା
ମନରେ ଅ।ଣ୍ଟ, ମେଘ ମହ୍ଲାର 
ସ୍ୱର ଶୁଣି ମେଘହାତୀଙ୍କ ଶୁଣ୍ଢରେ 
ବସି ଝୁଲିଝୁଲି ଆ।ସିବ ପ୍ରିୟତମା
ମଦାଳସୀ ବର୍ଷା କନ୍ୟା ।
ବୀଣାରେ ଝଙ୍କାର ବେଗ 
ବେଳୁବେଳୁ ବଢୁଥାଏ 
ଥରଥର ହାତରେ,
ସାରାଦେହ ଭିଜୁଥାଏ
ରକ୍ତ ଛିଟିକାରେ। 


ମହ୍ଲାର ରାଗରେ କାନ୍ଦ କାନ୍ଦ
ମେଘକନ୍ୟା ଛମଛମ ଧ୍ୱନିରେ
ମାଟିକୁ ପାଦ ବଢାଉଥାଏ ।
*******



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance