ମଧୁରେ ମଧୁରେ ମୂରଲୀ ବାଜିଲା
ମଧୁରେ ମଧୁରେ ମୂରଲୀ ବାଜିଲା
ମଧୁରେ ମଧୁରେ ମୂରଲୀ ବାଜିଲା
କଦମ୍ବ ମୂଳରେ ରହି ରହି
ଛନ୍ଦରେ ଛନ୍ଦରେ ନାଚିଲା ଯମୁନା
କଳ କଳ ନାଦେ ବହି ବହି |
ପବନେ ପଵନେ ଗଗନେ ଗଗନେ
ଗଲା ବେଣୁ ସ୍ଵନ ଭାସି ଭାସି
ଚନ୍ଦ୍ରସେଣା ଆଳେ ପଶି ବଳେ ବଳେ
ପରଶିଲା ବାର୍ତ୍ତା ହସି ହସି |
ବାଜୁ କର୍ଣ୍ଣପଟ ରାଧା ଛଟପଟ
ମଦନ ବାଣରେ ଜଳି ଜଳି
ଖଞ୍ଜରେ ଖଞ୍ଜରେ ବାରି ବାହାନାରେ
ବାରିଜାକ୍ଷୀ ଚଳେ ହଲି ହଲି |
ନିକଟୁ ନିକଟ ହେଉ ସନ୍ନିକଟ
ଶୁଭିଲା ନୂପୁର ଝୁଣୁ ଝୁଣୁ
ରସିକ ନାଗର କାହ୍ନା ନଟବର
ଛନଛନ ହେଲେ ଶୁଣୁଶୁଣୁ |
ତରତର ହୋଇ ରାଧା ଆସେ ଧାଇଁ
କଳସୀ ତୁଠରେ ଥୋଉ ଥୋଉ
ଛପି କଳା ଶଶୀ ଧିରେ ଦେଉ କାଶି
ଛାତି ତାର ହେଲା ଦାଉଁ ଦାଉଁ |
ଧରି ରାଈ କର ବ୍ରଜ କଳାକର
କୁଞ୍ଜେ ଘେନିଗଲେ ଚାହୁଁ ଚାହୁଁ
ଅପ୍ରାକୃତ ପ୍ରେମ ରସେ ବିଳସିଲେ
ମେଘରେ ଦାମିନୀ ଦାଉ ଦାଉ |
