STORYMIRROR

Sambit Srikumar

Abstract Tragedy Classics

3  

Sambit Srikumar

Abstract Tragedy Classics

ମଧୁମକ୍ଷୀ

ମଧୁମକ୍ଷୀ

1 min
142


ରେ ମଧୁମକ୍ଷୀ! 

କେତେ ତୁ ଉଡ଼ିବୁ ଉଡ଼

ଉଡ଼ିବୁ ତୁ କେତେ ଦୂର ?

ଏଠି ଫୁଲ ସବୁ କୃତ୍ରିମ

ମନଲୋଭା ଅତ୍ୟନ୍ତ ସୁନ୍ଦର

ଛଳନାର ମୁଖା ପିନ୍ଧି

ସିନ୍ଥେଟିକ୍ ହସ ହସି

ଆଲିଙ୍ଗନ କରିବାକୁ ଆତୁର ! 

କାହୁଁ ବା ପାଇବୁ ତୁ

ନିରୁତା ମଧୁ'ର ଭଣ୍ଡାର ? 

ସବୁଠି ତ ରାସାୟନିକ ଜହରର

ଉଠୁଛି ଉତ୍ତାଳ ଜୁଆର

ବଣ ଜଙ୍ଗଲର ସବୁଜିମା

ତ ଯାଇଛି କେବେଠୁଁ ଉଜୁଡ଼ି

କାହାର ବା ଅଛି ସ୍ପୃହା

ଶକ୍ତି ଅବା ସମୟ ରୋପିବାକୁ

ବୃକ୍ଷଟିଏ ତୋ'ର ଲାଗି ? 

ବିକାଶର ମୁଖଶାଳା କଳା ଧୂଆଁ

ସୁଉଚ୍ଚ ଶକ୍ତିଶାଳୀ ଭ୍ରାମ୍ୟଭାଷ ସୌଧ

ସାଜିଛି ତୋ ପାଇଁ ବାଧକ

ତୋ'ର ବଇରି ପ୍ରାଣଘାତକ ! 

କାହିଁ ବା ଉଡ଼ୁଛୁ ତୁ ମଧୁ'ର ସନ୍ଧାନେ

କିଏ ବା ଆଉ ଲୋଡ଼େ ଏଠି ମଧୁ ? 

ଅନେକ ମଧୁମେହରେ ଆକ୍ରାନ୍ତ

ହେତୁ ମଧୁ ତ ବର୍ଜିତ ପଦାର୍ଥ

କେହି ବି ଆଜି ଆଉ ଚାହୁଁନି

ବିଶ୍ଵ ହେବାକୁ ମଧୁମୟ

ସୁରା ସାକୀର ମହୁଆ ନିଶାରେ

ସଭିଏଁ ମଦମତ୍ତ ବିମୁଗ୍ଧ ବିଭୋର ! 

ମଧୁ'ର ନାମରେ ରକମରକମର

ଦେଶୀବିଦେଶୀ ଉତ୍ପାଦରେ ବଜାର ଭରପୁର

ହେଉ ପଛେ ଭେଜାଲ ହାତତିଆରି

ସଭିଏଁ ବିଶୁଦ୍ଧତାର ଅଗ୍ନିପରୀକ୍ଷାରେ

ସାଫଲ୍ୟର ସହିତ ଉତ୍ତୀର୍ଣ୍ଣ

ହୋଇଥିବାର ପ୍ରମାଣପତ୍ରଧାରୀ ! 

ତୁ' ତ ଶୁଣିଥିବୁ ନିଶ୍ଚିତ

ତୋ' ନାଁରେ ଆଜିକାଲି ବାଜୁଛି

ଅପବାଦର ଡେଙ୍ଗୁରା

କେତେ ଟାହିଟାପରା

"ରାଣୀ" ବୋଲି ଦେଇ ଉପାଧି

ସଜାଇଛନ୍ତି ତୋତେ ଲକ୍ଷହୀରା ! 

ଯେବେ ମଧୁ'ର ହିଁ ନାହିଁ ଆଦର

ତୁ ବା କାହିଁ ଆପଣାର ପ୍ରାଣ

ବିନିମୟରେ ଦିବାନିଶି ଦୁନିଆଁ ଲାଗି

ତାହାକୁ ସଞ୍ଚିବାକୁ ଆତୁର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract