STORYMIRROR

Shiba Charan Mahapatra

Romance

3  

Shiba Charan Mahapatra

Romance

ମଧୁମିଳନ

ମଧୁମିଳନ

1 min
112

ନିଶାର୍ଦ୍ଧ ଘନ ଅନ୍ଧାରେ  ଶୀତଳ ରେଶମୀ ଡୋରେ 

      ଅପରୂପ ଦ୍ୱିଜରାଜ ଜଳାଏ ତନୁ 

ସୁକୁମାରୀ କୁମୁଦିନୀ  ହୋଇଣ ପ୍ରେମ ବାୟାଣୀ 

       ସଲିଳ ପୂତ ସମ୍ପର୍କ ଭୁଲିଲା ମନୁ

       ସଙ୍ଗମ ପିପାସା ମଞ୍ଜୁଳ 

    ରାଜଜେମା ପ୍ରିତିସୁଧା ପାଇଁ ବ୍ୟାକୁଳ


ଦେଖିଣ ହସେ ଶଶାଙ୍କ  ଅମ୍ବର ବକ୍ଷେ ଚମକ 

      ପୁଲକିତ କରେ ଭୂମା ଭୂମି ବଖରା 

ସୁଷମା ସୁନ୍ଦରୀ ନାରୀ  ନୀଳ କଇଁ ଅପସରୀ 

       ସରସୀ ନୀରେ ନାଚଇ ଖୋଲି ଗଜରା

       ଆହା କି ଅପୂର୍ବ ସୌନ୍ଦର୍ଯ୍ୟ

   ଯୋଜନ ଦୂର ପ୍ରଣୟ କେଡେ ମାଧୁର୍ଯ୍ୟ


ପ୍ରାଣବଲ୍ଲଭ ଏ କ୍ଷଣ  ସ୍ୱପଥେ ପକାଅ ରାଣ

       ଶୃଙ୍ଗାର ସରିନି ଅଛି ଅଧା ଅଧୂରା 

ସମାକୁଳ ମନ ନେଇ  ରଜନୀ ଯାଉଛି ପାହି 

       ଉପହାସେ ହସୁଛନ୍ତି ପାହାନ୍ତି ତାରା

       ଝଲସି ଉଠେ ଏ ସଲିଳ 

    ଅଭିମାନେ ଜଳିଯାଏ ବପୁ ସକଳ


ଶ୍ରୀ ଅଙ୍ଗୀ ବର ବରଣା  ମାନସ ପଟ୍ଟ କଳ୍ପନା 

       ପ୍ରଣୟିନୀ ବୁଝେନା ଦୂରତା ସାନ୍ଦ୍ରତା 

ଗୋପନେ ଗୋପନ ରତି  ମହକ ମହକେ ରାତି

       ପ୍ରିତି ରଶେ ନିଶାଗ୍ରସ୍ତ ନିଶି ଗାଢତା

       ଚକିତ ଚାହିଁ ସେ ଚାନ୍ଦିନୀ 

     ପ୍ରଣୟ ମଧୁମିଳନ ସହି ପାରେନି


ଅଳ୍ପାୟୁଷ ପ୍ରେମ କଥା  ପ୍ରାଣେ ଭରେ ଯେତେ ବ୍ୟଥା 

       ବିଧାତା ଏଡେ ଦାରୁଣ ଲେଖେ ବିଧାନ

ବିରହ ଜ୍ୱଳନ ନିଆଁ   ଅନ୍ତିମ ପ୍ରହରେ ଠିଆ

       ସିନ୍ଦୁରା ଫାଟେ ପୁରୁବ ଦିଗେ ତପନ

       କହେ ଜହ୍ନ କଇଁ କୁ ଚାହିଁ 

    ପ୍ରଣୟ ଏ ଜନ୍ମେ ଗଲା ଅଧୂରା ରହି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance