ମୌସୁମୀ
ମୌସୁମୀ
ମୌସୁମୀ ତୁମେ ମୌସୁମୀ ତୁମେ ନୀଳ ସାଗର ନାୟିକା
ଘନ ଅପଘନା ବିଦ୍ୟୁତ୍ ନୟନା ସାଜ ବାରିବାହ ବାହିକା |
ପ୍ରକୃତି କନ୍ୟା ରୂପ ଅନନ୍ୟା ବର୍ଣ୍ଣ ବୈଭବେ ଭୂଷିତା
ବର୍ଷାରାଣୀ ହେ ରିମ୍ ଝିମ୍ ତାନେ ଜଗତକୁ କରସ୍ପର୍ଦ୍ଧିତା |
ଲାସ୍ୟମୟୀ ଗୋ ହାସ୍ୟମୟୀ ଗୋ ମହା ପ୍ରଳୟ ରୂପିିଣୀ
ଅନନ୍ତ ଅମ୍ବରେ ଘୋଟିଯାଉ ଖରେ ଦିବସକୁ କରୁ ଯାମିନୀ |
ତପ୍ତ ଧରଣୀ ବିକଳ ଧ୍ଵନି କର୍ଣ୍ଣରେ ହେଉ ଧ୍ୱନିତ
ଦୁଃଖ ହରଣେ ଭୀମ ଗର୍ଜନେ ବ୍ୟୋମ ପଥରେ ଧାବିତ |
କ୍ଷୀରାବ୍ଧି କୂଳ ହିମ ହିଲ୍ଲୋଳ ବିକ୍ଷୁବ୍ଧ ବେଳା ବରଜି
ସଙ୍ଗତେ ଘେନି ମେଘ ବାହିନୀ ମାଡ଼ି ଆସୁ ତୁ ଗରଜି |
ବଜ୍ର ବିଦ୍ୟୁତ ଇରମ୍ମଦମୟ ବାତ୍ୟା ଘୂର୍ଣ୍ଣିର ତାଣ୍ଡବ
ବିଶ୍ୱ ବ୍ୟାପିନୀ ଶକ୍ତି ରୂପିଣୀ ଦେଖାଉ ପ୍ରଳୟ ଆହବ |
ନଭ ଜଳ ସ୍ଥଳ କରି ଏକାକାର ହୋଇ ଘନ କୃଷ୍ଣ କାଳିକା
ଧୂସର ନୀଳ ରକ୍ତ ପାଟଳ ଘନନୀଳ ପୀତ କାୟିକା |
ଆଲୁଳିତ କେଶା ବିଲୁଳିତ କେଶା ଘୋର ଘର୍ଘର ନିର୍ଘୋଷେ
ପବନ ସାଥେ ବାରିଦ ରଥେ ବୃଷ୍ଟି କରୁ ତୁ ହରଷେ |
ସୃଷ୍ଟିର ତତ୍ତ୍ୱ ପଞ୍ଚ ମହାଭୂତ ତୋହ ଯୋଗୁଁ ସିନା ସାର୍ଥକ
ଜୀବ ଜଗତ ଉଦ୍ଭବ ପାଳକ ଜଗଜ୍ଜନ ମନ ରଞ୍ଜକ |
ଶସ୍ୟ ଶ୍ୟାମଳିମା ଅରଣ୍ୟ ସୁଷମା ସବୁଜ ବଳୟ ବିସ୍ତରି
ଧରଣୀ ରାଣୀର ଦିବ୍ୟ କରଣିର କରିସ୍ମାକୁ ଦିଅ ପ୍ରସାରି |
ଧନ ଧାନ୍ୟ ପୂର୍ଣ୍ଣ ଖଣିଜ ସମ୍ପନ୍ନ ନଦ ନଦୀ ହ୍ରଦ ପୂରିତ
ଉତକୂଳ କରି ତଟିନୀ ତଟ ବନ୍ୟାରେ କରୁ ପ୍ଲାବିତ |
ନାଚେ ମୟୂର ଝରେ ନିର୍ଝର ବାରି ଭରା ବିଲ ପୋଖରୀ
ଡାକେ ଡାହୁକ ରଡୁଥାଏ ଭେକ ଝିଁ ଝିଁ କରେ ଝିଙ୍କାରି |
ହଳ ଯୋଚି ଯାଏ କୃଷକ ଭାଇ ଗାଇ ସେ ହଳିଆ ସଂଗୀତ
ସପ୍ତରଙ୍ଗର ଚାରୁ ଶକ୍ରଚାପ ସବିତା ବିଲୋମେ ଶୋଭିତ |
ତୋହରି ପାଇଁକି ଧରଣୀର ମାନ ଯୁଗେ ଯୁଗେ ହୁଏ ସ୍ପର୍ଦ୍ଧିତ
ତୋହରି ପାଇଁକି ଜୀବନ ସଂଗୀତ କାଳେକାଳେ ହୁଏ ମୂର୍ଛିତ |
ତୁମେହିଁ କର୍ତ୍ତ୍ରୀ ତୁମେହିଁ ଧାତ୍ରୀ ତୁମେହିଁ ଜୀବନ ଦାୟିନୀ
ଶୁଷ୍କ ମରୁର ଆଶା ବାରିଧର ତୁମେହିଁ ଜଗତ ବନ୍ଦିନୀ |
ତୁମ୍ଭ ଆଗମନ ତୁମ୍ଭ ଦରଶନ ପ୍ରାଣେ ପ୍ରାଣେ ଭରେ ପୁଲକ
ଅସରା ଆସାରେ ରସାଇ ରସାରେ ଖେଳାଅ ଜୀବନ ମହକ |
