STORYMIRROR

Aishwarya Mishra

Inspirational

3  

Aishwarya Mishra

Inspirational

ମାୟାଜାଲ

ମାୟାଜାଲ

1 min
190


କେହି ରହିନାହିଁ ରହିବେ ନାହିଁଟି 

ଭବ ରଙ୍ଗ ଭୂମି ତଳେ

ସର୍ବେ ନିଜ ନିଜ ଅଭିନୟ ସାରି

ବାହୁଡ଼ିବେ କାଳ ବଳେ 


କାଳର କରାଳ ପ୍ରହାର ପ୍ରଭାବେ

ରାଜା ଯେ ହୁଅଇ ରଙ୍କ

କ୍ଷଣେ କ୍ଷଣେ ଏଠି ବଦଳେ ଦୁନିଆଁ 

ପଙ୍କଜ ବି ହୁଏ ପଙ୍କ


କେହି ନୁହେଁ ତୋର ତୁ ନୁହେଁ କାହାର

ସବୁ ତ ଏଠି ଅସ୍ଥାୟୀ 

ଧନ-ଦାରା-ସୁତ ଆବୋରି ବସିଛୁ

ମିଛରେ ହେଉଛୁ ବାଇ


ତୁଣ୍ଡେ ନାହିଁ ତୋର ରାମ-କୃଷ୍ଣ ନାମ

ପୂରିଛି ହୃଦେ ଗରଳ

କାମିନୀ-କାଞ୍ଚନ ପଛେ ଧାଇଁ ଧାଇଁ 

ସରିଲାଣି ତୋର ବଳ ,


ଏ ମର୍ତ୍ତ୍ୟ ମଣ୍ଡଳ, ମାୟାର ସାଗର

ସମସ୍ତେ ମାୟାରେ ବାୟା

କାଟି ନ ପାରିଲେ ଏ ମାୟା ବନ୍ଧନ

ନ ହୋଇବେ କିଏ ସାହା,


ଧରା ଧାମେ ଯିଏ ଦେହ ଧରିଛନ୍ତି 

ଦେବ ହୁଅନ୍ତୁ କି ନର

ସମସ୍ତେ ଏଠାରେ କାଳ ଡୋରେ ବନ୍ଧା

ନୁହଁନ୍ତି କିଏ ଅମର,


ସଂସାର ମଞ୍ଚରେ ଚାଲିଛି ନାଟକ

ସଭିଏଁ ତ ଅଭିନେତା

କାଳ ହାତେ ବନ୍ଧା ଅଭିନୟ ଡ଼ୋରୀ

ନାଟକର ସେ କରତା,


ସଂସାର ସାଗର ଅଟେ ମୟାପୁର

କିଏ ବା ତୋର ନିଜର !

ଆଜି ମଲା ପରେ କାଲିକୁ ସଭିଏଁ 

କରିଦେବେ ତୋତେ ପର,


କି ଲାଭ ମିଛରେ ଆତ୍ମ-ଗର୍ବ କରି

ଶେଷ ଶେଯ ଯେବେ ଜୁଇ

ଛଅଟି କାଠରେ ଗଢା କୋକେଇରେ

ଯିବୁ ତୁ ମଶାଣି ଭୂଇଁ ,


ଅଗ୍ନି ସଂଯୋଗରେ ଶବ ତୋ ଜଳିବ

ପଞ୍ଚ-ଭୂତେ ହେବୁ ଲୀନ

ଆତ୍ମା କିନ୍ତୁ ତୋର ଅକ୍ଷୟ ଅଜୟ

ରହିବ ସଦା ଅମ୍ଳାନ ,


ସେହି ଆତ୍ମା ରୂପେ ସ୍ଵୟଂ ପରମାତ୍ମା 

ତୋ ଦେହେ ଅଛନ୍ତି ରହି

ବାଲ୍ୟକାଳୁ ପୁଣ୍ୟ ଧର୍ମ ତୁ ସଞ୍ଚିଲେ 

ଯିବୁ ନିଶ୍ଚେ ମୋକ୍ଷ ପାଇ,


ଅସାର ଜୀବନେ ଧର୍ମ ଏକା ସତ୍ୟ

ଧର୍ମ ବିନା ନାହିଁ ଗତି

ଧର୍ମର ବିହୁନେ ମାୟାଜାଲ ମଧ୍ୟେ

କେହି ନୁହେଁ ତୋର ସାଥି ,,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational