ମାୟା ବନ୍ଧନ
ମାୟା ବନ୍ଧନ
ଜନମ ମରଣ ମିଥ୍ୟା ଆବରଣ
ମାୟାର ଏଇ ବନ୍ଧନ,
ହୃଦୟ ସ୍ପନ୍ଦନ କରେ ସମର୍ପଣ
ଆତ୍ମା ଜପେ ଅନୁକ୍ଷଣ ।
ବିଷାଦତା ଯେତେ ଶୂନ୍ୟତାର ପଥେ
ଜୀବନ ତତ୍ତ୍ୱର ସାଥେ,
ତିକ୍ତ ଅତୀତେ ଭରା ଯନ୍ତ୍ରଣା ସତ୍ୱେ
ଏକାକୀତ୍ବ ଶେଷ ପଥେ ।
କୂଳରେ ଚନ୍ଦ୍ରମା ଯାଦବ ପ୍ରତିମା
ତ୍ରିଭଙ୍ଗୀଠାଣି ରଙ୍ଗିମା,
ପୁଣ୍ୟତା ଗାରିମା ସରାଗ ସୁଷମା
ନୀଳଜହ୍ନେ ମାଧୁରିମା ।
ଗୋପର ଗଗନେ ପ୍ରୀତିର କିରଣ
କାଳୀୟ ଦର୍ପ ଗଞ୍ଜନ,
ଯଶୋଦା ନନ୍ଦନ ହୃଦୟେ ଚନ୍ଦନ
ଆହା ମୋର ଶ୍ୟାମଘନ ।
ନୀଳ ନୀଳିମାର ନୀଳ ନିର୍ଝରିଣୀ
ନୀଳରାସ କଲ୍ଲୋଳିନୀ,
ନୀଳ ନୀଳାମ୍ବର ନୀଳ ସେ ବନାନୀ
ନୀଳକୁଞ୍ଜେ ନୀଳମଣି ।
ଜନ୍ମରୁ ଯନ୍ତ୍ରଣା କରିଛି ମନ୍ତ୍ରଣା
କୋହ, ଲୁହରେ ସେ ବଣା,
ପ୍ରତିଟି ଚେତନା ଅବତାରୀ ସିନା
ଦୁଃଖରେ ହୃଦ ଯମୁନା ।
ପିତାମାତା ଦୁଃଖ ପ୍ରଣୟୀର ସୁଖ
ଗୋପର ସେ ଚନ୍ଦ୍ରମୁଖ,
ମଥୁରା ଗମିଲା ବ୍ରଜରାଜ ଦେଖ
ସିକ୍ତମୁଖର ମୟୁଖ ।
ଭିଜା ହୃଦୟର ଶେଷ ଲୁହଧାର
ଶିଆଳିକୁଞ୍ଜେ ସାଗର,
ଶୂନ୍ୟତା ତାର ନୀରବତାର ଗାର
ସଖାଙ୍କୁ ଝୁରେ ଅନ୍ତର ।
ହୃଦୟେ ସାଇତି ଅପାଶୋରା ସ୍ମୃତି
କଳାକାହ୍ନୁ ହୃଦପ୍ରୀତି,
କର୍ମର କିରତୀ ଧରାରେ ବୁଣନ୍ତି
ତେଜିସବୁ ମାୟାପତି ।
ସୃଷ୍ଟିର ତରଣୀ ନିର୍ବିକାର ଫୁଣି
ବିବଶ କର୍ମରେ ଗୁଣି,
ଯନ୍ତ୍ରଣାକୁ ବୁଣି ଲୁହର କାହାଣୀ
କୋହେ ଅଶ୍ରୁସିକ୍ତ ବାଣୀ ।
ସ୍ନେହବୋଳା ହୃଦ ମନରେ ଦରଦ
ସାଗରେ ରତ୍ନ ପୁରିତ,
ବିଶାଳ ସମୁଦ୍ର ଆତ୍ମାର ସେ ନାଦ
ପ୍ରାଣେ ସଦା ନିନାଦିତ ।
ଭକ୍ତ ପ୍ରାଣରଙ୍କା ମଥାର ସେ,ଟୀକା
ଭାବର ବନ୍ଧନେ ସଖା,
ଭାବରେ, ଭାବରେ ଭାବ ସୁଖଶିଖା
ହରେଦୁଃଖ ଭବଦେଖା ।
ତୁହିରେ ଜଞ୍ଜାଳ ହୃଦୟ କାଙ୍ଗାଳ
ତୋ'ପାଇଁ ହୃଦ ବିକଳ,
ଛାଡ଼ିଲି ସକଳ ଆତ୍ମାରେ ପାଗଳ
ମହାନାୟକ ମୋ'ମୂଳ ।