ମାଟିର ମଣିଷ
ମାଟିର ମଣିଷ
ଉଷର ମାଟିର ପ୍ରାଣ ପ୍ରାଚୁର୍ଯ୍ୟର
ଛବି ଆଙ୍କିଦିଏ ଯିଏ
ରୂପକାର ସିଏ ସବୁଜ ଧରାର
ମାଟିର ମଣିଷ ସିଏ ।
ବୈଶାଖ ଝାଞ୍ଜିରେ ଘୋର ବରଷାରେ
ବିଶ୍ରାମ ନଥାଏ ତା'ର
ସବୁରି ମୁହଁରେ ହସ ଫୁଟାଇବା
ତା ଜୀବନ ଅଙ୍ଗୀକାର ।
ମାଟି ମାଆ ସୁତ ନୁହେଁ ବିଚଳିତ
ଦାରିଦ୍ର୍ୟର କଷାଘାତେ
ନଥାଇ ବିଭବ ନିର୍ବିକାର ସେ ଯେ
ଝୁଙ୍କି ନାହିଁ ପରାହତେ ।
ଶୁଣି ନିଅ ଥରେ ମାଟି ମଣିଷର
ମନର ଅକୁହା କଥା
ଅନୁରାଗେ ଥରେ ଜାଣିବାକୁ ଚାହଁ
ତା' ହୃଦ ତଳର ବ୍ୟଥା ।
ଅବହେଳିତ ସେ ନିଃସ୍ବ ମଣିଷ ଯେ
ବିଶ୍ଵ ମୁଖେ ଦିଏ ଦାନା
ସେ ପରା କୃଷକ ଦେଶର ରକ୍ଷକ
କର ତାରେ ନିରାଜନା ।
