ମାତୃକୃପା
ମାତୃକୃପା


ଜାଣିନାହିଁ ଭକ୍ତି ଆରାଧନା ସ୍ତୁତି
ଅବୋଧ ତୋର ସନ୍ତାନ
ଅଭୟ ଶ୍ରୀପଦେ ହାତ ଦୁଇ ଯୋଡ଼ି
କରୁଛି ମା ନିବେଦନ ।
ମହାଯଜ୍ଞ ପୁର ଭାବାବେଗ ତୀବ୍ର
ମନ ପବନ ସମାନ
ଆଦର୍ଶ ସଙ୍କଳ୍ପ ସତ୍ୟ ସଦାଚାରେ
ଏକାଗ୍ର ହେଉ ପରାଣ ।
ମାତା ପାଦପଦ୍ମେ ହେଉ ସମର୍ପିତ
ଜୀବନ ଧରମ କର୍ମ
ଗରୀୟସୀ ମାତା ସ୍ୱରଗ ଠାରୁ ବି
ପରମେଶ୍ୱରୀ ମହାନ ।
ସ୍ଥାବର ଜଙ୍ଗମ ଜଡ଼ ପ୍ରାଣେ ଜାଗୁ
ଅଚିନ୍ତ୍ୟ ଚେତନ ଶକ୍ତି
ହସି ଉଠୁ ଧରା ଆନନ୍ଦ ଉଲ୍ଲାସେ
ସୁନ୍ଦର ଶ୍ୟାମା ପ୍ରକୃତି ।
ଚାଲୁଛି ଚାଲିବ ଅହରହ ନିତ୍ୟ
ଅଶ୍ୱମେଧ ମହାଯଜ୍ଞ
ମହାଦେବୀ ମାତା ଘେନ କର୍ମାହୂତି
ହୁଅ ବାରେ ସୁପ୍ରସନ୍ନ ।
ଜଗତ ଜନନୀ ସତ୍ୟ ସନାତନୀ
ମା ବିରଜା ଆଦି ଶକ୍ତି
କରେ କୃପା ଭିକ୍ଷା ପ୍ରାଣର ସ୍ୱରୂପା
ଦିଅ ମୁକ୍ତି ସଦଗତି ।