ମାତୃଭାଷା
ମାତୃଭାଷା
ଭାବ ପ୍ରକାଶର ପ୍ରକୃଷ୍ଟ ମାଧ୍ୟମ ଭାଷା ବୋଲି ତାକୁ କହି
ଭାଷାରୁ ଉତ୍ପତି ମାନବ ସଭ୍ୟତା ଭାଷା ଚିରସ୍ରୋତା ନଈ |
ମାଆର ଭାଷା ତ ମାତୃଭାଷା ଯାହା ଦୁନିଆରେ ଶ୍ରେଷ୍ଠତମ
ମାତୃଭୂମି ମାତୃଭାଷାର ମମତା ସର୍ବମାନ୍ୟ ସର୍ବୋତ୍ତମ |
ବହୁବିଧ ଭାଷା ବହୁ ଉପଭାଷା କଥିତ ଅବା ଲିଖିତ
ଲିପି ବିବର୍ଜିତ ଅନେକ ଭାଷା ତ ହୋଇ ଗଲାଣି ବିଲୁପ୍ତ |
ଯା ଭାଷା ଦୁର୍ବଳ ସିଏ ହୀନବଳ ନାହିଁ ତାର ସ୍ୱାଭିମାନ
ପରପୁଚ୍ଛ ଧରି ଗୋଲାମୀ ଆଦରି ହୋଇଥାଏ ହୀନିମାନ |
ଭାଷା ବିଭୂଷିତ ସାହିତ୍ୟ ଉନ୍ନତ ସଭ୍ୟତାର ମାପକାଠି
ସାହିତ୍ୟ ସାଧନ ଶିକ୍ଷା ସଂସାଧନ ପ୍ରଗତିର ପରିପାଟୀ |
ରାଜରାଣୀ ଭାଷା ଓଡ଼ିଆ ସରସା ସଂସ୍କୃତ ସମ ଉନ୍ନତ
ପ୍ରାଚୀନତା ପାଇଁ ଷଷ୍ଠ ଭାଷା ରୂପେ ଜାତୀୟ ସ୍ତରେ ସ୍ୱୀକୃତ |
ଓଡ଼ିଆ ଲିପିର ଭାଷା କୋଷାଗାର ସାଗର ସମ ବିଶାଳ
ହିନ୍ଦୀ ଇଂରାଜୀର ପରିସରଠାରୁ ବହୁଗୁଣେ ବୃହତ୍ତର |
ମାତାକୁ ନଚିହ୍ନି ବିମାତାରେ ଆଜି ବଢ଼ିଯାଇଛି ଆଦର
ସାହିତ୍ୟରେ ମାଡ଼ିଯାଏ ଧଳା ଛଉ କଦାକାର କଳେବର |
ମୋ ଭାଷା ଓଡ଼ିଆ ସବୁଠୁଁ ବଢ଼ିଆ ଅମୃତର ରସାୟନ
ସାରଳା ଉପେନ୍ଦ୍ର ରାଧାନାଥ ଯୁଗ ସାରସ୍ୱତ ମହୀୟାନ |
ବିଶୁଦ୍ଧ ଓଡ଼ିଆ ଲିଖନେ ପଠନେ ଜାଗରେ ଓଡ଼ିଆ ଆଜି
ବଢ଼ୁ ଜାତି ପ୍ରୀତି ଜାତୀୟ ସଂହତି ଫେରୁ ହୃତ କୀର୍ତ୍ତିରାଜି |
