ମାତା ଦେବହୁତି
ମାତା ଦେବହୁତି
ସୃଷ୍ଟି ଆରମ୍ଭରେ ମନୁ - ଶତରୁପା
ଆଦ୍ୟ ପୁରୁଷ ଓ ନାରୀ
ସନ୍ତାନ ଉତ୍ପତ୍ତି କରିବା ଦାୟିତ୍ବ
ଥିଲା ପ୍ରାୟ ସର୍ବୋପରି
ପ୍ରିୟବ୍ରତ ଓ ଉତ୍ତାନପାଦ ନାମେ
କ୍ରମେ ଦୁଇ ପୁତ୍ର ଜାତ
ଆକୃତି,ପ୍ରସୂତି, ଦେବହୁତି ନାମେ
ତିନି କନ୍ୟା ବି ଜନ୍ମିତ
ଦେବହୁତି କ୍ରମେ କରିଲେ ବିବାହ
କର୍ଦ୍ଦମ ଋଷି ସହିତ
ଋଷି ପାଶେ ରହି ସେବାରେ କେବଳ
ସମୟ ଅତିବାହିତ
କର୍ଦ୍ଦମ ଋଷିଙ୍କ ଜପ ତପ ପ୍ରାୟ
ରହିଥିଲା ଅବ୍ୟାହତ
ସାଂସାରିକ ସୁଖ ବିନା ଦେବହୁତି
ସର୍ବଦା ଥିଲେ ଚିନ୍ତିତ
ତଥାପି ପତିଙ୍କ କରୁଥିଲେ ସେବା
ପତ୍ନୀ ଧର୍ମ ଦ୍ୱାହି ଦେଇ
ମହର୍ଷି କର୍ଦ୍ଦମ ଭୁଲି ଯାଇ ଥିଲେ
ପତ୍ନୀ ଅଛି ତାଙ୍କ ପାଇଁ
ଯୋଗବଳେ କ୍ରମେ ସେ ଋଷି କର୍ଦ୍ଦମ
ଆପେ ହେଲେ ଅବଗତ
ଦେବହୁତି ମନ ଜାଣିଲେ ସହଜେ
ବ୍ୟବସ୍ଥା କଲେ ତୁରନ୍ତ
ଯୋଗବଳେ ଋଷି ମହଲ ନିର୍ମାଣ
ପୁଣି ବିମାନ ଭିଆଇ
ନଅ ବର୍ଷ କାଳ ନବ ଲୋକ ଭ୍ରମି
ଦେବହୁତି ସାଥେ ରହି
କାଳ କ୍ରମେ ଦେବହୁତିଙ୍କ ଗର୍ଭରୁ
ନଅ କନ୍ୟା ହେଲେ ଜାତ
ନଅ ବର୍ଷ ପରେ ସ୍ଵ ସ୍ଥାନକୁ ପୁଣି
ଫେରି ଆସିଲେ ତ୍ୱରିତ
ଦେବହୁତି ମନେ ପୁତ୍ର ଟିଏ ଆଶା
କ୍ରମେ ଋଷି ହେଲେ ଜ୍ଞାତ
ସ୍ଵୟଂ ନାରାୟଣ ପୁତ୍ର ହେବେ ଆସି
କଲେ ତାହା ଅବଗତ
ନୂତନ ଯୁଗର ଆରମ୍ଭ ଉଦ୍ଦେଶ୍ୟେ
ପୁତ୍ର ରୂପେ ନାରାୟଣ
ସେହି ପୁତ୍ର ମୁଖେ ମୋକ୍ଷ ପ୍ରାପ୍ତି ସୂତ୍ର
ହେବ ମୋକ୍ଷର କାରଣ
କାଳ କ୍ରମେ ଏକ ପୁତ୍ର ଜନ୍ମ ହେଲା
ଥିଲା ବିଷ୍ଣୁଙ୍କ ଯୋଜନା
ବିଷ୍ଣୁଙ୍କ ପଞ୍ଚମ ଅବତାର ତାହା
କପିଳ ନାମରେ ଜଣା
କପିଳଙ୍କୁ ଯେବେ ହେଲା ବାର ବର୍ଷ
ନିପୁଣ ସାଂଖ୍ୟ ଜ୍ଞାନରେ
ଦର୍ଶନ ଶାସ୍ତ୍ରର ସାଂଖ୍ୟ ଜ୍ଞାନ କ୍ରମେ
ମାତାଙ୍କୁ କହିଲେ ଧିରେ
ଦେବହୁତୀଙ୍କର ପ୍ରତି ପ୍ରଶ୍ନ ଧାରେ
ଅତି ସରଳ ଭାଷାରେ
କହିଲେ କପିଳ ସୃଷ୍ଟିର ରହସ୍ୟ
ସାଂଖ୍ୟ ଜ୍ଞାନ ଆଧାରରେ
ସର୍ବ ବ୍ୟାପକ ସେ ପରମ ଈଶ୍ୱର
ଭିଆଇଲେ ସୃଷ୍ଟି ଏହି
ପ୍ରକୃତି ସ୍ଵରୁପିଣି ଯୋଗମାୟା ହିଁ
ସବୁରି ମୂଳରେ ଥାଇ
ପ୍ରକୃତିର ସତ୍ତ୍ଵ ରଜ ତମ ଗୁଣ
ଆଧାରରେ ଏହି ସୃଷ୍ଟି
ରଜ ରେ ସର୍ଜନା, ସତ୍ତ୍ଵ ରେ ପାଳନ
ତମ ଧାରେ ଧ୍ଵଂସ ସୃଷ୍ଟି
ଶ୍ରବଣ, କୀର୍ତ୍ତନ, ସ୍ମରଣ, ପୂଜନ
ବନ୍ଦାଣ, ପାଦ ସେବନ
ଦାସ୍ୟ, ସଖ୍ୟ ପୁଣି ଆତ୍ମ ନିବେଦନ
ନବଧା ଭକ୍ତି ରୁପେଣ
ଭକ୍ତି ଯେବେ ହୁଏ ହୃଦେ ଅଙ୍କୁରିତ
ବୈରାଗ୍ୟ ଆପେ ଉତ୍ପନ୍ନ
ଚେତନାରେ କ୍ରମେ ହୁଅଇ ଉଦ୍ରେକ
ଦିବ୍ୟଜ୍ଞାନ ର ସ୍ପୁରଣ
ଜୀବର ବିଷୟ ପ୍ରତି ତୁଟେ ମୋହ
କେବଳ ଭକ୍ତି ବଳରେ
ପରମାନନ୍ଦ ଓ ମୋକ୍ଷ ପ୍ରାପ୍ତି ଆପେ
ଲାଭ ହୁଏ ଜୀବନରେ
ମନ ହିଁ ବନ୍ଧନ ଅଥବା ମୋକ୍ଷର
ଅଟଇ ମୂଳ କାରଣ
ମନ ଓ ଇନ୍ଦ୍ରିୟ ଆୟତ୍ତ ବଳରେ
ଅସାଧ୍ୟ ହୁଏ ସାଧନ
ଭକ୍ତି ସହ ସାଂଖ୍ୟ ଜ୍ଞାନର ବର୍ଣ୍ଣନ
ଶୁଣି ମାତା ଦେବହୁତି
ପରମ ପୁରୁଷ ପଦେ କରି ଧ୍ୟାନ
କ୍ରମେ ହେଲେ ମୋକ୍ଷ ପ୍ରାପ୍ତି
ଦେବହୁତି ଏକ ଆଦର୍ଶ ରମଣୀ
ବ୍ୟକ୍ତ ପୁରାଣ ପୃଷ୍ଠାରେ
ଗୁଣବାନ ପିତା,ସ୍ବାମୀ,ଆଉ ପୁତ୍ର
ଲଭି ଥିଲେ ଜୀବନରେ
ଧନ୍ୟ ପ୍ରଭୁ ସେଇ କପିଳ ରୂପରେ
କହି ଅଛ ମୋକ୍ଷ ଜ୍ଞାନ
ଶାସ୍ତ୍ର ଜ୍ଞାନ କିନ୍ତୁ ରହିଛି ପୋଥିରେ
ନାହିଁ କାହିଁ ଭକ୍ତି ଜ୍ଞାନ...!!
