ମାଣବସା ଗୁରୁବାର
ମାଣବସା ଗୁରୁବାର
ଆଜି ଶୁଭଦିନ ମାର୍ଗଶୀର ମାସ
ମାଣବସା ଗୁରୁବାର
ବିଜେ ହେବେ ଲକ୍ଷ୍ମୀ ମାଆ ସାଆନ୍ତାଣୀ
ପୁରେ ପୁରେ ଘର ଘର ।
ରାତି ନ ପାହୁଣୁ ଶୁଚିମନ୍ତ ହୋଇ
ସୁଗୃହିଣୀ ନାକେଦମ
ଅରୁଆ ଚିତୋଉ ଝୋଟି ଚିତା କାଟି
ଆଙ୍କିଛନ୍ତି ପାଦ ପଦ୍ମ ।
ପୀତାମ୍ବରୀ ଦେଇ ସବୁ ସରଞ୍ଜାମ
ମାଜି କରିଛନ୍ତି ସଫା
ଖଟୁଲି ଉପରେ ଲକ୍ଷ୍ମୀଙ୍କ ପ୍ରତିମା
ଶେରମାଣ ଯତ୍ନେ ରଖା ।
ନୂଆ ଧାନ ସିଞ୍ଚା ବରକୋଳି ପତ୍ର
ଅଅଁଳା ଦୂବ ଅକ୍ଷତ
ପୂଜା ଅର୍ଘ ଥାଳୀ ଭୋଗ ନୈବେଦ୍ୟ
ହୋଇଅଛି ସୁପ୍ରସ୍ତୁତ ।
ସିନ୍ଦୂର କୁଙ୍କୁମ କଜ୍ଜ୍ୱଳ ଅଳତା
ଅଳଙ୍କାର ପାଟବସ୍ତ୍ର
ପିନ୍ଧାଇବ ଯତ୍ନେ ସ୍ନାହାନ ଶେଷରେ
ଅକ୍ଷତେ ଭରିବେ ମାଣ ।
ମାତାଙ୍କ ପ୍ରତିମା ଶୁଦ୍ଧ ପଞ୍ଚମୃତେ
ମନ୍ତ୍ରେ କରିବେ ସ୍ନାହାନ
ପ୍ରଦୀପ ଜଳାଇ ହୁଳହୁଳି ଦେଇ
ମାତାଙ୍କର ଆବାହନ ।
ନାଲି ହଳଦିଆ ବ୍ରତ ଉପଚାରେ
ପଡିବ ଦଶଟି ଗଣ୍ଠି
ମାତାଙ୍କ ନାମକୁ କରି ଉଚ୍ଚାରଣ
ବାହୁରେ ବାନ୍ଧିବେ ଭିଡି ।
ଷୋଡଶୋପଚାର ପୂଜା ଅରଚନା
ନଇବେଦ୍ୟ ଧୂପଦୀପ
ମାତାଙ୍କ ସମୀପେ ଦାସ ବଳରାମ
ଗୀତିଗାଥା ଭକ୍ତିପାଠ ।
କେଉଁ କେଉଁ କର୍ମ କର୍ତ୍ତବ୍ୟ କରିଲେ
ମିଳିଥାଏ ଶୁଭାଶୀଷ
ସହଜ ସୁନ୍ଦର ହୋଇଛି ବର୍ଣ୍ଣିତ
ଆଚାର ଦିବ୍ୟ ସନ୍ଦେଶ ।
ଜାତି ବର୍ଣ୍ଣ କୁଳ ସର୍ବ ନିର୍ବିଶେଷେ
ମନଦେଇ ସୁଗୃହିଣୀ
ନିଷ୍ଠାପର ଭାବେ ମାଣପୂଜା କରି
ହୋଇଥାନ୍ତି ସୈ।ଭାଗିନୀ ।
ମାତା ଅନ୍ନପୂର୍ଣ୍ଣା ସଦା ବରପ୍ରଦା
ସୃଷ୍ଟି ପାଳନକାରିଣୀ
ଲଭୁ ଶୁଭାଶୀଷ ବଇଭବ ସୁଖ
ସୀମନ୍ତିନୀ ସୁଗୃହିଣୀ ।
-----
