ମାଣବସା ଗୁରୁବାର
ମାଣବସା ଗୁରୁବାର
ଆଜି ମାଣବସା ଗୁରୁବାର
ମାସ ମାର୍ଗଶିର
ଘରେଘରେ ସର୍ବତ୍ର ପୂଜା ହୁଏ
ଦେବୀ ଲକ୍ଷ୍ମୀଙ୍କର ।
ପାହାନ୍ତି ପହରୁ ଉଠି ପଡି
ଝୋଟି ଚିତା ଦେଇ
ସମସ୍ତ ଗୃହିଣୀ ଲାଗି ପଡନ୍ତି
ପୂଜାର୍ଚ୍ଚନା ପାଇଁ ।
ଶଙ୍ଖ ହୁଳହୁଳି ଧ୍ୱନିରେ
କମ୍ପେ ଚତୁର୍ଦ୍ଦିଗ
ମହାଲକ୍ଷ୍ମୀଙ୍କ ପାଖରେ ଲାଗେ
କେତେ ଭୋଗ-ରାଗ ।
ଭୁଆସୁଣୀଙ୍କ ଭିଡ଼ ଜମେ
ଚଉରା ମୂଳରେ
ଗୃହ ପାଲଟିଥାଏ ଦେବାଳୟ
ଲକ୍ଷ୍ମୀ ଆଳତିରେ ।
ମାଣବସା ଗୁରୁବାର ମାହାତ୍ମ୍ୟ
ଶ୍ରୀୟାକୁ ବି ଜଣା
ଲକ୍ଷ୍ମୀପାଦ ପଡ଼ିଥିଲା ତା' ଗୃହେ
ସେ ମା'ଙ୍କ କରୁଣା ।
ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇଲେ
ସୁଖ ଆସେ ଘରେ
ପୁତ୍ର କନ୍ୟା ଧନ ରତ୍ନ ମିଳଇ
ମା' ଆଶୀର୍ବାଦରେ ।
ମାଣବସା ଗୁରୁବାର ପାଳେ ଯେ
ନିଷ୍ଠା ସହକାରେ
ମହାଲକ୍ଷ୍ମୀ କୃପା କରନ୍ତି ତାକୁ
ପରମ ଶ୍ରଦ୍ଧାରେ ।
