ମାନବିକତା
ମାନବିକତା
ମାନବୀୟ ଗୁଣ ନାହିଁ ଯା'ର ହୃଦେ
ସିଏକି ମାନବେ ଗଣା
ମଣିଷ ରୂପରେ ଜନମ ହେଲେବି
କର୍ମ ତାର ବାଟ ବଣା |
ସତ୍ୟ, ଶାନ୍ତି, ଧର୍ମ,ଦୟା, କ୍ଷମା ଯା'ର
ଭାଇ ବନ୍ଧୁ ସହୋଦର
ତାକୁ ଛାଡ଼ି କେହି ମଣିଷ ହେଇନି
ଏତ ବିବେକର ସ୍ୱର |
ମାନବିକତାକୁ ହଜାଇଛି ଯିଏ
ସିଏତ ପଶୁର ରୂପ
ହିଂସ୍ରତା ତାର ଆବାହନୀ ମନ୍ତ୍ର
ପ୍ରିୟ ତାର ରକ୍ତ ସ୍ତୂପ |
ଖାଦ୍ୟ ପେୟ, କର୍ମ, ବଚନ ମଧୁର
ଯା'ଠାରେ ଜନମି ନାହିଁ
ଶିକ୍ଷା ସଂସ୍କୃତି ଠୁ ଦୂରେଇ ଯାଇଛି
ଅପ ସଂସ୍କାର ରେ ରହି |
ମଣିଷ ପଣିଆ ଶାନ୍ତ ଶିଷ୍ଟାଚାର
ମାନବିକ ଅଳଙ୍କାର
ଦର୍ଶନ ମାତ୍ରକେ ପୂରି ଉଠେ ହୃଦ
ସିଏତ ଦେବଙ୍କ ଚର |
ସୁନା, ରୂପା,ହୀରା ଲୋଡ଼ା ନାହିଁ କା'ର
ପାର୍ଥିବ ସେ ଅଳଙ୍କାର
ମୁଖ ମଣ୍ଡଳରେ ସ୍ମିତ ହାସ୍ୟ ଲୋଡ଼ା
ଅପରେ ସଦିଚ୍ଛାଚାର |
ପିତା ମାତା ପୁଣି ଭାଇ ଭଗିନୀଙ୍କୁ
ଯା' ମନେ ରହିଛି ଶ୍ରଦ୍ଧା
ଗୁରୁ ଗୁରୁଜନେ ଭାବ ଭକ୍ତି ପ୍ରେମ
ତା ପଥେ ଆସେନି ବାଧା |
ଆଶିଷର ଧାର ତା' ଉପରେ ଝରେ
ସତ୍ୟ ପଥେ ଯିଏ ରହେ
ସଫଳତାର ସେ ଶୀର୍ଷ ରେ ପହଞ୍ଚି
ଶ୍ରେଷ୍ଠ ମଣିଷ ହୁଏ |
ମାନବିକତାର ମହାମନ୍ତ୍ର ଗାଇ
ପଶୁତ୍ବକୁ ଦେବା ଛାଡ଼ି
ଅହିଂସା ପଥରେ ହେବା ଅଗ୍ରଗାମୀ
ସତ୍ୟ ନ୍ୟାୟ ପଥେ ଲଢ଼ି ।
