ମାଁ ମୋର ଆଶା ଭରଷା
ମାଁ ମୋର ଆଶା ଭରଷା
ମା , ମାଆ ମମତାର ମୂର୍ତ୍ତୀମନ୍ତ ରୂପ,
ଅମୂଲ ମୂଲ ତା ପ୍ରେମ।
ମାଆ ର ଭାଷା ମୋ,ସବୁଠୁ ମଧୁର,
ଗୀତା ଭାଗବତ ସମ।୧।
ଆ , ଆଶା ଭରସାର,ଏକଇ ଉତ୍ସ ସେ
ସେ ମୋ ସାକାର ବ୍ରହ୍ମ।
ଆଣିଛି ଧରାରେ ,ଗର୍ଭେ ଧରି ମତେ
ଦେଇଛି ଦୁର୍ଲଭ ଜନ୍ମ।୨।
ମୋ , ମୋହରି ପାଇଁ ସେ, ଦଶମାସ କାଳ
ସହିଛି,ଗର୍ଭ ଯନ୍ତ୍ରଣା।
ମୋହରି ପାଇଁ ସେ, ଅନିଦ୍ରା ରହିଛି
ନ ସହି ମୋର କାନ୍ଦଣା।୩।
ର , ରକତ ମାଉଁସ, ଶରୀରୁ ତାହାର
ଝାରି ଅମୃତର ରସ।
ରହି ଉପବାସେ, ମୋ ପେଟ ସକାଶେ
ଖଟେ ରଜନୀ ଦିବସ।୪।
ଆ , ଆପଣା ଜୀବନ, ଯୌବନ ଅଜାଡି
ସଜାଡିଛି ମତେ ନିତି।
ଆଖି ଅଢୁଆଳେ,ରଖିଛି ସେ ମତେ
ଦେବାପାଇଁ ଆତ୍ମଶାନ୍ତି ।୫।
ଶା , ଶାସନ ନୂହେଁ ତ,ଅନୁଶାସନରେ
ସଂସ୍କାର ଦେଇଛି ମତେ
ଶାରିରୀକ ଆଉ,ମାନସିକ ରୂପେ
ସୁଦୃଢ କରିଛି ସତେ।୬।
ଭ , ଭକତି ପଥରେ, ପଥିକ କରି ସେ
ଖୋଲିଛି ମୋ ଅନ୍ତର୍ଚକ୍ଷୁ।
ଭଲ ମନ୍ଦ ଜ୍ଞାନ, ତାହାରି ତ ଦାନ
ଯେସନ ସେ ବୌଦ୍ଧଭୀକ୍ଷୁ।୭।
ର , ରସାରେ ଶ୍ରେଷ୍ଠ ତ ,ଏ ମାତୃ ଜଗତ
ତରେ,ତାରେ ଭବବାରି।
ରହିଥିବା ଯାଏ, ଏ ପିଣ୍ଡେ ପରାଣ
ସେବା କରିବି ତାହାରି।୮।
ସା , ସାଧୁସଙ୍ଗତରେ, ରହି ନିରନ୍ତରେ
ଗାଉଥିବି ମାତୃଗୁଣ।
ସାରସ୍ବତ ହେବ, ମୁରାରୀ ସାଧନା
କର୍ମଯୋଗୀ ବୀରପଣ।୯।