STORYMIRROR

Kamala Satpathy

Classics

3  

Kamala Satpathy

Classics

ମାଗଣା ଚାଉଳ

ମାଗଣା ଚାଉଳ

2 mins
205

ନେତା ଆସିଥିଲେ ଭୋଟ୍ କିଣିବାକୁ

କହିଗଲେ ଦେବେ ଚାଉଳ

ଜୁଳୁଜୁଳୁ କରି ବାଇଧର ବୁଢା

ଚାହିଁ ରହିଥିଲା କେବଳ


ଦିନେ କାଳେ ନାହିଁ, କେହି ଆସି କେବେ

ପଚାରିନି ତା'ର ଦୁଃଖ

ଆଚମ୍ଭୀତ କଥା, ରାଜଧାନୀ ଛାଡି

ବାଣ୍ଟି ଆସିଛନ୍ତି ସୁଖ


ସୁରୁଯ ଦେବତା କି ଯୋଗରେ ଆଜି

ଗାଆଁରେ ତାଙ୍କର ଉଇଁଛି 

ଧୋବ ଧାଉଳିଆ ପୋଷାକ ପିନ୍ଧିକି

ନେତାଙ୍କ ଫଉଜ ବୁଲୁଛି


ବରଷ ବରଷ ବିତି ଯାଇଅଛି

ପେଟକୁ ନପାଇ ଦାନା

ମାଗଣା ଚାଉଳ ମିଳିବ କାଲିଠୁ

କାନରେ କୁହଇ ସନା


ସୁଇଚିଟା ଖାଲି ଟିପିଦେଲା ପରେ

ସୁଖର ଦିନ ତା' ଫେରିବ

ଚାଉଳ ସାଙ୍ଗକୁ ଡାଲି ତେଲ ଲୁଣେ

କୁଡିଆଟା ତା'ର ଭାସିବ


ନୂଆ ସରକାର ଆସିଗଲା ପରେ

ରାମ ରାଜ୍ୟ ଫେରିଆସିବ

କାହା ପେଟ ଆଉ ଖାଲି ରହିବନି

ଭୋକରେ କେହି ନଶୋଇବ

 

ପିଲାଛୁଆ ସବୁ ଯିବେ ପାଠ ପଢି

କନ୍ୟାଏ ନଡରି ବୁଲିବେ

କଳି ତକରାଳ ନବଢିବ ଆଉ

ଥାନାବାବୁ ସବୁ ଶୁଣିବେ


ମିଛୁଟାରେ ଘରୁ ଟାଣି ନେବେ ନାହିଁ

ନରଖିବେ ନେଇ ହାଜତେ

ଗାଆଁରୁ କୋକୁଆ ଭୟ ଦୂର ହେବ

ଶାନ୍ତିରେ ଶୋଇବେ ସମସ୍ତେ


ଅହିଂସା ପୂଜାରୀ, ଗାନ୍ଧିଜୀଙ୍କ ଶିଷ୍ୟ

ଦୁଃଖି ଜନତାଙ୍କ ସେବକ

ଭୋଟ୍ ମାଗୁଛନ୍ତି କେବଳ ତୁମର

ହରିବାକୁ ସବୁ ଦୁଃଖ


ନେତା ବୋଲି ତାଙ୍କୁ ବାଛିଲେ ପାଇବ

ସୁଖ ସୌଭାଗ୍ୟର ଶିରୀ

ବିରୋଧିଆ ଯେତେ କହୁ ମିଠା କଥା

ନଯିବ ସେଥିରେ ଭଳି


ବୁଝିଲା କି ନାହିଁ ବାଇଧର ବୁଢା

ଦେଲା ମୁଣ୍ଡ ଧିରେ ହଲେଇ

ଟଙ୍କା କେଇ ଖଣ୍ଡି ଗୁଞ୍ଜିଦେଇ ହାତେ

ନେତା ଗଲେ ସେଠ ଦୂରେଇ


ରାତି ସାରା ବୁଢା ନିଦରେ ଦେଖୁଛି

ସରୁ ଚାଉଳର ଖେଚେଡି

ସକାଳ ନିଦଟା ଭାଙ୍ଗିବା ଆଗରୁ

ଆସିଗଲା ସନା ଗାଡି


ହସି ହସି ସନା କହିଲା, “ମଉସା,

ବଡ କପାଳିଆ ତମେ

ରାମ ରାଇଜରେ ରହିବ ଆଜିଠୁ

ସେବା କରୁଥିବୁ ଆମେ


ମନଭରି ଖାଉଥିବ ଭାତ ଡାଲି

ଦେବ ଗୁଆଘିଅ ପକେଇ

ସରିଗଲେ ଆଉ ଆଣିଦେବି, ଏବେ

ଦୁଛି ଦି' ବସ୍ତା କୁଢେଇ


ହାଆଁ କରି ଚାହିଁ ରହିଥିଲା ବୁଢା

ସତ କି ସପନ ଦେଖୁଛି

ଚାଉଳର ବାସ୍ନା ତା' ଭୋକା ପେଟକୁ

ଗୋଟା ପଣେ ମନ୍ଥି ଦେଉଛି


ମୁଠା ମୁଠା କରି ଖାଇଗଲା ଆଗ

ରାନ୍ଧିବାକୁ ନାହିଁ ତର

କାଳେ କିଏ ଆସି ନେବ ଯେ ଛଡେଇ

ମନେ ପଶିଯାଏ ଡର


ରଖିବ କେଉଁଠି ଏ ମହାସଂପଦ

ଚୁଲି ଚାଳେ ବାସ ନାହିଁ

ବନ୍ୟା ପରେ ବାତ୍ୟା, ବାର ବାର ଆସି

ନେଇଛି ଛପର ଉଡେଇ


ଚୋର ଖଣ୍ଟ କେତେ ଗାଁରେ ମାତିଛନ୍ତି

ନଉଛନ୍ତି ସବୁ ଚୋରେଇ 

କାହାକୁ କେମିତି ଦୋଷ ଦେବ ସିଏ

ଭୋକ ତ ସଭିଙ୍କୁ ମାରଇ


କଞ୍ଚା ଚାଉଳରୁ ପେଟେ ଖାଇଦେଇ

ଉଠିଲା ପିଇବ ପାଣି

ଦେହ ହାତ ତା'ର ଗୋଟାପଣେ ଥରେ

ପେଟ ବି ଦଉଛି ଟାଣି


କେତେ ମାସ ପରେ ପଡିଛି ପେଟରେ

ମହ ମହ ବାସ ଚାଉଳ

ଯନ୍ତ୍ରଣାରେ କିନ୍ତୁ ପେଟ ଫାଟିଯାଏ

ହାତଗୋଡ ହୁଏ ଅଚଳ


ବାନ୍ତି କରିବ କି ବାରିଆଡେ ଯିବ

ପାରୁନାହିଁ କିଛି ବୁଝି

କାହିଁକି ଲୋଭରେ ଗିଳି ପକେଇଲା

ଘଡିଏ ନଭାବି ଚିନ୍ତି


ଡାକ ପକେଇଲା, “ଆରେ ପୁଅ ସନା,

ହାତ ମୋର ଧରି ଉଠା

ଭୋଅଟ ଦେବାକୁ ଅଛିଟିରେ ମତେ

ଆଗ ଖାଲି ଏଠୁ ବଞ୍ଚା


ଗରୀବଙ୍କ ଭୋଟ୍ ବଡ ମୂଲ୍ୟବାନ୍

କହୁଥିଲୁ ସେତେବେଳେ

ଏଇଲେ ମୋ ପ୍ରାଣ ଛାଡିଲା ବେଳକୁ

ଆସୁନୁ କାହିଁ ସଅଳେ


ରାମଙ୍କ ରାଇଜ ଦେଖିବ ଏ ଆଖି

ନେତା ରୂପେ ଭଗବାନ

ଗରୀବଙ୍କ ଦୁଃଖେ ଛାତି ଫାଟେ ବୋଲି

କରିବେ ତା' ଅବସାନ


ଦେଇଥିଲୁ ଖାଲି ମାଗଣା ଚାଉଳ

ଡାଲି ଘିଅ ନାହିଁ ଦେଖା

ଭୋଅଟ ଦିନ ତ ପାଖ ହେଲା, ହେଲେ

ଖାଏ ମୁଁ ଚାଉଳ ସୁଖା


କିଏ ଅଛି ସେଠି ଶୁଣିବ ତା' କଥା

ନେତା ନା ନେତାଙ୍କ ଲୋକ

ବଣ୍ଟାକୁଣ୍ଟା ସବୁ ସରିଗଲା ପରେ

ଆଉ କି ଶୁଭିବ ଡାକ


ଭୋଅଟ ସରିଲା, ନେତା ଜିତି ଗଲେ

ରାଜଧାନୀବାସୀ ହୋଇ

ବାଇଧର ବୁଢା ଚାହିଁଛି ଆସିବ

ରାମ ଦୂତ ସନାଭାଇ


ମୁଠାଏ ଟଙ୍କା ତ ଦେଇଥିଲେ ସିଏ

ମାଗିଥିଲେ ଅବା କିସ

ଗୋଟେ ଭୋଟ୍ ପାଇଁ ଦେଇଥିଲେ ଯେତେ

କଟିବନି କି ପାଞ୍ଚଟା ବର୍ଷ



Rate this content
Log in

Similar oriya poem from Classics