ମାଆର ମମତା
ମାଆର ମମତା
ମାଆର ମମତା ଅମୂଲ୍ୟ ମୁକୁତା
ତାର ସମ କିଛି ନାହିଁ
ସ୍ନେହର ଭଣ୍ଡାର କରୁଣା ସାଗର
ଅଟଇ ସନ୍ତାନ ପାଇଁ ।
କେତେ ଶରଧାରେ କୋଳେଇ ନିଏସେ
କରୁଥାଏ ଆଲିଙ୍ଗନ
ମାଆ ପାଇଁ ପରା ସନ୍ତାନର ଖୁସି
ଅଟେ ଭାରି ମୂଲ୍ୟବାନ ।
ମାଆ ଯେ ଅଟଇ ମମତାରମୟୀ
ଭୁଲିଯାଏ ନିଜ ସୁଖ
ସନ୍ତାନ ଖୁସିରେ ଖୁସି ହେଉଥାଏ
ସେପରା ଜୀବନ ଯାକ ।
ନୁହେଁ ଏହି ଭାବ ମଣିଷ ପାଖରେ
ପଶୁପକ୍ଷୀ ଠାରେ ଥାଏ
ଯେମିତିବି ହେଉ ମଆଟିଏ ସିଏ
ସନ୍ତାନର ଭଲ ଚାହେଁ ।
ମାଆର ନାମରେ ଥାଏ ପବିତ୍ରତା
ସ୍ପର୍ଶରେ ତା ମଧୁରତା
ଦରଦୀ ହୃଦୟ ଦେବୀଟିଏ ସିଏ
ବୁଝଇ ସନ୍ତାନ ବ୍ୟଥା ।
ଛଳନା ବିହୀନ ସ୍ୱାର୍ଥହୀନ ତାର
ସେନେହ ମମତା ଯେତେ
ସନ୍ତାନ ହିଁ ଜଣେ ମାଆର ସ୍ପର୍ଶରେ
ମାଦକତା ଅଛି କେତେ ।
