ମାଆ
ମାଆ
ମାଆକୁ ପଢିବା ସହଜ ତ ନୁହେଁ
ମମତାର ଗୋଟେ ବହି
ପଣତ କାନିରେ ଘୋଡ଼େଇ ସେ ରଖେ
ପାଖେପାଖେ ସଦା ରହି ।
ଅଝଟିଆ ହେଲେ ବୁଝେଇସୁଝେଇ
କରୁଥାଏ ସତେ ଗେଲ
ଗୋଡ଼,ହାତ,ଦେହ ଦରଜ ଛଡ଼ାଏ
ଘଷିଘଷି କେତେ ତେଲ ।
କୋଳେଇ କାଖେଇ ଖୁଆଇଦିଏ ସେ
କେତେ ମିଠା କଥା କହି
ବିପଦେଆପଦେ ସାହା ହୁଏ ମାଆ
ସବୁ ଦୁଃଖକଷ୍ଟ ସହି ।
ମନଦୁଃଖ ଥିଲେ କେତେ ପରକାରେ
ହସାଏ କହିକି କଥା
ଜର ରୋଗ ହେଲେ ସେବାଯତ୍ନ କରେ
ଆଉଁସି ଦିଅଇ ମଥା ।
ସକାଳରୁ ସଞ୍ଜ କରୁଥାଏ କାମ
ରହେନା ଟିକିଏ ବସି
ବସୁମତୀ ସମ ସବୁ ଯାତନାକୁ
ସହିନିଏ ହସିହସି ।
