ମାଆ ତୁମ ପାଇଁ କଣ ଲେଖିବି
ମାଆ ତୁମ ପାଇଁ କଣ ଲେଖିବି
ମାଆ,ମୁଁ ତୁମ ବିଷୟରେ କଣ ଲେଖିବି
ଭାବେ ବେଳେ ବେଳେ ଅନେକ କିଛି
ହେଲେ ଅନେକ କିଛି ଭିତରେ ସବୁ କିଛି ନାହିଁ
ଅଧା ଅଧୁରା କଣ ପାଇଁ ଲେଖିବି
ତୁମର ପ୍ରତି କ୍ଷଣ ଯନ୍ତ୍ରଣାକୁ ମୁଁ କେଉଁ ଶବ୍ଦ ଦେବି
ତୁମ ସ୍ନେହ ପ୍ରେମକୁ ପୁଣି କେମିତି ଲେଖିବି
ତାର ଉପମା ପୁଣି କାହା ସହ କରିବି
ଭାବୁଥିଲି ତୁମ ତୁଳନା ହସୁଥିବା ଚାନ୍ଦ ସହ କରିବି
ହେଲେ କିଛି ସମୟ ପରେ ସେ ହଜିଯିବ
କିନ୍ତୁ ତୁମେ ତ ସବୁବେଳେ ହସିଛ
ତାକୁ ତୁମ ସହ ତୁଳନା କେମିତି କରିବି
ଭାବୁଥିଲି ତୁମ ବାସ୍ନାକୁ ଫୁଲ ସହ ତୁଳନା କରିବି
ହେଲେ କିଛି ସମୟ ପରେ ମଉଳିଯିବ
ତାକୁ ତୁମ ସହ ତୁଳନା କେମିତି କରିବି
ଭାବୁଥିଲି ତୁମ ଲୋରିକୁ କୋଇଲି ସହ ତୁଳନା କରିବି
ହେଲେ ବସନ୍ତ ସରିଲେ ସେ ଚୁପ୍ ହେଇଯିବ
ତାକୁ ତୁମ ସହ ତୁଳନା କେମିତି କରିବି
ତୁମର ସ୍ପର୍ଶ କମ୍ପନ ଦିଏ
ଭାବୁଥିଲି ତୁମେ ଶୀତ
ହେଲେ ମୌସୁମୀ ସହ ସିଏ ବଦଳି ଗଲା
ତାକୁ ତୁମ ସହ ତୁଳନା କେମିତି କରିବି
ସବୁ ଶାଢ଼ୀରେ ତୁମେ ସୁନ୍ଦର ଦେଖାଯାଅ
ତୁମ ସୁନ୍ଦରତା କୁ ପୁଣି କେମିତି ଆଙ୍କିବି
ସକାଳର ସୂର୍ଯ୍ୟ ତୁମ ବିନ୍ଦି ପରି
ହେଲେ ସନ୍ଧ୍ୟାରେ ଉଭେଇ ଯାଉଛି
ତାକୁ ତୁମ ସହ ତୁଳନା କେମିତି କରିବି
ହେଲେ ସେ ସବୁ ତ ଖୁବ ତୁଚ୍ଛ
ତୁମ ପାଇଁ ତୁଚ୍ଛ ଆଉ ମିଛ କେମିତି ଲେଖିବି
ସବୁ ଭାବି ଲେଖିଲେ କେତେ ଟା ଉପନ୍ୟାସ ଲେଖିଦେବି
ହେଲେ ମଧ୍ୟ ରହିଯିବ ଆଉ ମୁଁ ହାରିଯିବି
ତେଣୁ ଭାବେ ତୁମ ବିଷୟରେ ମୁଁ କଣ ଲେଖିବି???
ତୁମେ ସୂର୍ଯ୍ୟ ନୁହଁ ତୁମେ ଉର୍ଜା
ତୁମେ ଭାବ ନୁହଁ ତୁମେ ଭାବନା
ତୁମେ କଳା ନୁହଁ ତୁମେ କଳ୍ପନା
ତୁମେ ଆଶା ନୁହଁ ମୋର ଆଶୀର୍ବାଦ
ଯାହାର କେବେ କ୍ଷୟ ନାହିଁ
ଯାହାର କେବେ ଶେଷ ନାହିଁ
ସୃଷ୍ଟିର ଅଣୁ ଅଣୁ ରେ ତୁମେ
ତୁମ ପାଇଁ କିଛି ଉପମା ନାହିଁ।
