ମାଆ ଓ ଶାଶୁ (ପୁଅ ପାଇଁ )
ମାଆ ଓ ଶାଶୁ (ପୁଅ ପାଇଁ )
ଦଶମାସ ଗର୍ଭେ ବହି,
ଦୁଃସହ ପ୍ରସୂତି ବେଦନା ସହି
ଜନମ ଦେଇ, ଯିଏ ପାଳି ପୋଷିଥାଇ ।
ମାଆ ବୋଲି ତାକୁ କହି
ବାତ୍ସଲ୍ୟ ସ୍ନେହର ତୁଳନା ନାହିଁ
ମମତା ଖଣି, ସୁଧା ମନ୍ଥିତ ଲବଣି ।
ସ୍ତନ ଭାଙ୍ଗି ଦିଏ କ୍ଷୀର
ହାତ ଧରି ଚାଲି ଶିଖାଏ ଧୀର
କୁହାଏ କଥା, ଭୁଲି ଯାଏ ସବୁ ବ୍ୟଥା ।
ଦଣ୍ଡେ ନ ପାଶୋରେ ମନୁ
ତେଲ ହଳଦୀରେ ପଚାଏ ତନୁ
ମଳ ବମନ, ମୂତ୍ରକୁ ଭାବେ ଚନ୍ଦନ ।
ହେଲେ ଟିକେ ରୋଗ ଜ୍ଵର
ନିଦ ହଜିଯାଏ ମାଆ ନେତ୍ରର
କରଇ ସେବା, ପୂଜେ କେତେ ଦେବୀ ଦେବା ।
ସୀମାହୀନ ତା ମମତା
ବର୍ଣ୍ଣିବାକୁ ନାହିଁ କବି କ୍ଷମତା
ଅଳି ଅର୍ଦ୍ଦଳି, ସହି କରେ ଗଳାମାଳି ।
ମାଆ ତ ଅମୂଲ ମୂଲ
ମହୀରେ କେ ନାହିଁ ମାଆର ତୁଲ
ମାଆର ଋଣ, ଶୁଝିବାକୁ କେ ଭାଜନ ।
ଶାଶୁ ବି ମାତୃ ସ୍ଥାନୀୟା
ମାତା ସମ ପୂଜ୍ୟା ସେ ବନ୍ଦନୀୟା
ପତ୍ନୀର ମାତ, ଝିଅ
ଦାନେ ପୁଅ ପ୍ରାପ୍ତ ।
ଶାଶୁଙ୍କର ଜୋଇଁ ପ୍ରିୟ
ଜୋଇଁ ଖୁସି ଲାଗି ରଖନ୍ତି ଲୟ
ଚର୍ଚ୍ଚାରେ ତ୍ରୁଟି, ରଖନ୍ତିନି ମୋଟାମୋଟି ।
ଆଜିର କଳି ଯୁଗରେ
ନାରୀବଶା ହେଲେ ଶିକ୍ଷିତ ନରେ
ମାତା ନଗଣ୍ୟ, ଶାଶୁଙ୍କୁ ଦେଲେ ପ୍ରାଧାନ୍ୟ ।
ଏକ ଦିନେ ମାଆ,ଶାଶୁ
ଘରେ ପ୍ରବେଶିଲେ ସୁଯୋଗ ବଶୁ
ମାଆକୁ ପଛ, ଆଗେ ଶାଶୁରେ ପ୍ରଣତ ।
ଶାଶୁ ଶ୍ୱଶୁରେ ଆଦର
ଜନକ ଜନନୀ ହୋଇଲେ ପର
ବାଧେ ଅନ୍ତର, ଦେଖି ପାତର ଅନ୍ତର ।
ମାଆ ଶୁଏ ବାରଣ୍ଡାରେ
ଶାଶୁ ଶୁଏ ଏସି ଘରେ ଖଟରେ
ମାଆ ପଖାଳ, ଶାଶୁ ଖାଏ ମାଂସ ଝୋଳ ।
ଗଛ ଲଗାଇଲା ଯିଏ
ଫଳ ଖାଇବାକୁ ଅଯୋଗ୍ୟ ସିଏ
ମୁହଁରୁ ତାର, ଆନ ଛଡ଼ାଏ ଆହାର ।
ଶାଶୁ ମାଆ ସମ ପୂଜ୍ୟ
ମାଆ ପାଦତଳେ ସୁଖ ସାମ୍ରାଜ୍ୟ
ନଭୁଲ ଆର୍ଯ୍ୟ, ମାତୃ ସେବା କର ଧାର୍ଯ୍ୟ ।
ସମ ଜ୍ଞାନେ ତାଙ୍କୁ ଦେଖ
ନାରୀ ପ୍ରେମେ ନହରାଅ ବିବେକ
ପିତା ମାତାରେ, ଭକ୍ତି କର ନିରନ୍ତରେ ।