ମା' ଲୋ ତୁ ଆସିଛୁ ବୋଲି
ମା' ଲୋ ତୁ ଆସିଛୁ ବୋଲି
ମା' ଲୋ ତୁ ଆସିଅଛୁ ବୋଲି
ଧରାକୁ ସରା ମଣୁଛି ମଣିଷ,
କେତେ ପରକାର ଆନନ୍ଦଉଲ୍ଲାସ
କରି ବିତାଉଛି ଫୁଲାଇ ନିଶ ।
କିଏ ବା ଏଠାରେ ମଣ୍ଡପ ସଜାରେ
କୋଟି କୋଟି ଟଙ୍କା ବ୍ଯୟ କରୁଛି,
କିଏବା ଏଠାରେ ସାଜସଜ୍ଜା ପାଇଁ
ଖରା ବର୍ଷା ସହି କାମ କରୁଛି ।
ବ୍ରାହ୍ମଣ ପୂଜାର ବିଧି ନ ଜାଣଇ
ତେବେ ବି ପାଉଣା ଚୁକ୍ତି କରୁଛି,
ମାଳି ଫୁଲ ଦେଇ ପଇସା ଭିଡୁଛି
ବାସିଫୁଲ ହାର ଛିଣ୍ଡିଯାଉଛି ।
କୁମ୍ଭାର କଳସ, ଧୁପସରା, ଦୀପ,
ବିକିବାକୁ ଧାଆଁଧପଡ କରେ,
ମୂତ୍ତିକାର ରଙ୍ଗତୁଳୀ ମାରିଦେଇ
ମୂର୍ତ୍ତି ବନାଇବା ପାଉଣା ଭରେ ।
ବାଜା ପାଇଁ ଢୋଲ, ଖୋଳ କରତାଳ,
ସାସ୍କୃତିକ ମଣ୍ଡପର ଆସର,
ଯାଆନ୍ତି ଦର୍ଶକ ହୋଇ କୃତକୃତ
ଖର୍ଚ୍ଚରେ ଅଧିକ ବଜେଟ ଭାର ।
ବାହାନା ମିଳଇ ମଦ୍ଯପାନକରି
ରେକର୍ଡ ଗୀତକୁ ନାଚ ବିକୃତ,
ଭସାଣି ବେଳରେ ଗମନାଗମନ
ପଥର ଯନ୍ତ୍ରଣା ସ୍ବଇଚ୍ଛା କୃତ ।
ତୋ ଆଗମନରେ ଧର୍ମ ଦ୍ବାହିଦେଇ
ବଡ ଆଡମ୍ବର ଦେଖଇ ନେତ,
ପେଟଭରି ବକ୍ତେ ଖାଇବାପାଇଁ କି
ଗଡୁଅଛି ଜନ ମୁଣ୍ଡ ବହୁତ ।
ଦେଶ ଟଳମଳ ବଜେଟ୍ ଅସମ୍ଭାଳ
ଗୋଟିପରେ ଗୋଟି ଯୋଜନା ହୁଏ,
ଅବ୍ଯର୍ଥରେ ଟଙ୍କା ପାଣିପରି ବହେ
ଭୋକିଲାକୁ ଦାନା ପର୍ଯ୍ଯାପ୍ତ ନୁହେଁ ।
ଜନ ସଚେତନ ନାମ ଯେ ଏହାର
ତେଲିଆ ମୁଣ୍ଡରେ ତେଲର ଭାଣ୍ଡ,
ମଳିମୁଣ୍ଡିଆକୁ କିଏ ସେ ପଚାରେ
ଭାଣ୍ଡାମିରେ ହୁଏ ଅନେକ କାଣ୍ଡ ।
ଆସିବୁ ଲୋ ମାଆ ପ୍ରତ୍ୟେକ ବରଷ
ତୋ ପାଇଁ ପେଟରେ ଦାନା ପଡିବ,
କେତେ ପୋଷିହେବେ ତୋ ଆଗମନରେ
କେତେ ଲୋକଙ୍କର ଭାଉ ବଢିବ ।
