ମା' ଲୋ କାଳିକା
ମା' ଲୋ କାଳିକା
ଝିଅ ମୋର ଋଷିଛି
ରାଗେ ଜର୍ଜରିତ ହୋଇ
ଚଣ୍ଡୀ ରୂପ ଧରିଛି
କରାଳ ରୂପକୁ ନେଇ
ମହାକାଳୀ ସାଜିଛି।
ଯୁଝି ଯୁଝି ହୋଇ ପଡିଛି ଅବଶ
କରିଛି ସେ ରକ୍ତମୁଖା ଧାରଣ
ଧାର ଧାର କଜ୍ବଳ,ଲହ ଲହ ରୁଧିର
ଇତସ୍ତତଃ ବସ୍ତ୍ର ଆଭରଣ।
ଜାଳୁଛୁ ଦୀପାଳି କରୁଅଛୁ ଅଳି
ଶାନ୍ତ ହୋଇଯାଆ ମାଆ
ନୃମୁଣ୍ଡ ମାଳିନୀ ଦେବୀ କାତ୍ୟାୟିନୀ
ହୋଇଥାଆ ତୁହି ସାହା।
ତୁହି ମା' ଦୁର୍ଗା ମହିଷାମର୍ଦ୍ଦିନୀ
ସିଂହ ବାହିନୀ ତ୍ରିଶୁଳ ଧାରିଣୀ
ଶାନ୍ତି ସ୍ୱରୂପିଣୀ ଶିବ ପାଟରାଣୀ
ତୁହି ଲୋ ମା ଜଗଜନନୀ।
ସଂସାର ପାଳନ ପାଇଁ
ହୋଇପାରୁ ଶାନ୍ତ କମନୀୟା
ରୂପସୀ, ଅଳସୀ, ଚପଳା , ପ୍ରେମିକା
ପାପୀ ସଂହାରଣ ପାଇଁ ହୋଇପାରୁ
ଖଡ୍ଗ ଖର୍ପରଧାରିଣୀ, ତ୍ରିନେତ୍ର କାଳିକା।
ଯୁଗେ ଯୁଗେ ସମାଜକୁ ଦେଇଥାଉ
ଏହି ବାର୍ତ୍ତା ‘ମା' ଲୋ କାଳିକା।
