ତୁମେ ଗଲା ପରେ
ତୁମେ ଗଲା ପରେ
ବସନ୍ତ କି ଚାଲିଗଲା ତୁମ ସାଥେ
ଦେଇଗଲା ଦାରୁଣ ନିଦାଘ
ଫୁଲେଇ ଫଗୁଣଟା ସାଥି ହେଲା ତୁମ ସହ
ଫିକା ଲାଗେ କାଇଁ ସୁନ୍ଦର ପଳାଶ କୁହ.
ଚଇତାଳି ପବନ କୋଇଲିର କୁହୁତାନ
ସାଜିଲେ କି ଓଠର ପିଆଲା
ଭିତକ୍ରସ୍ତା ହରିଣୀ ମୁଁ ଚାରିପଟେ ଅଗ୍ନିର ବରଷା
ହଜିଯାଏ ଦିଗର ଠିକଣା .
ତୁମ ସହ କାଟିବାକୁ ମଧୁମାସ
ଯାଇଛି କି ହଳଦିବସନ୍ତ
ଦରିଆ କୂଳରେ ତପ୍ତବାଲିରେ
ମିଛେ ଖାଲି ମୋର ତୃଷ୍ନାର ଅବଶୋଷ.
ତରୁଲତାର ସବୁଜିମା କିବା
ମନକୁ ରଙ୍ଗୀନ କରିଛି
ପତ୍ର ଝଡା ଏକ ଥୁଣ୍ଟା ଗଛ ମୁଁ
ଝଡର ବିଗୁଲ ଗାଉଛି.
ପ୍ରୀତିର ଗଜଲ ବନ୍ଧା ପଡିଛି କି
ଜୀବନ ର ସାତ ସୁରେ
ହୁହୁ ଜଳେ ମଧ୍ୟାହ୍ନ ରେ ତାତି
ବିରହ ବିଧୁରା ପ୍ରଣୟ ତୀରେ.
ସତେ କି ଶ୍ରାବଣ ଆସିବକି କୁହ
ମୋ ଜୀବନ ପରିଧିରେ
ନିଦାଘ ତାରୁଣ୍ୟ ଅପସରି ଯିବ
ଝିପି ଝିପି ବରଷାରେ.।।
