STORYMIRROR

Kishore Nayak

Children

3  

Kishore Nayak

Children

"ମା ' ଗୋ ଦଶଭୁଜା "

"ମା ' ଗୋ ଦଶଭୁଜା "

1 min
321


ମା' ଗୋ ଦଶଭୁଜା 

ଅମ୍ବିକା ବିରଜା 

ଝଙ୍କଡ଼ ବାସିନୀ ମା' ଶାରଳା 

ଦୟା କର ବାରେ

ଏଇ ସନ୍ତାନରେ 

ମଙ୍ଗଳ ଦାୟିନୀ ମା' ମଙ୍ଗଳା ll

ହେଲ ଆବିର୍ଭୂତା 

ମା' ଅଗ୍ନି ସମ୍ଭୁତା 

ଦୁର୍ଗତି ନାଶିନୀ ମା' ଗୋ ମୋର 

ବିନାଶିଲ ଦୁଷ୍ଟ 

ନିବାରିଲ କଷ୍ଟ 

ଉଶ୍ୱାସ କରିଲ ଧରଣୀ ଭାର ll

ଜୟ ମା' ଚର୍ଚ୍ଚିକା 

ଜୟ ଭଟ୍ଟାରିକା 

ଜୟ ମା' କାଳୀକା ମା' ବିମଳା 

ମା' ଗୋ ଭଗବତୀ 

ଜୟ ସପ୍ତସତୀ 

ଜୟ ବନ ଦୁର୍ଗା ମା' ହିଙ୍ଗୁଳା ll

ମା' ଗୋ ସମଲେଇ 

ବୁଢ଼ୀ ସାହାରେଇ 

କାକୁଡ଼ିଖାଇ ମା' ମାଣିକେଶ୍ବରୀ 

ସକଳ ଯାତନା 

କଷଣ ବେଦନା 

ସବୁରି ପରାଣୁ ନିଅ ମା' ହରି ll

ବୁଢ଼ୀ ଠାକୁରାଣୀ 

ମଝିଘରିଆଣୀ 

ଜୟ ମା' ସନ୍ତୋଷୀ ବାଟମଙ୍ଗଳା 

ଜୟ ସୁରେଶ୍ଵରୀ 

ମା' କିଚକେଶ୍ୱରୀ 

ଅର୍ଦ୍ଧଶୋଷିନୀ ମା' ଜୟ ବଗଳା ll 

ଜୟ ମା' ତାରିଣୀ 

ଘଟଗାଁ ବାସିନୀ 

ତାରା ତାରିଣୀ ମା' କଟକ ଚଣ୍ଡୀ 

ଘେନ ମୋ ପ୍ରଣତି

ଅନ୍ତର ଆଳତୀ 

ସକଳ ଦୋଷ ମୋ ଦିଅ ମା' ଖଣ୍ଡି ll

ନରେ ଅଗୋଚର 

ଜନନୀ ଗୋ ମୋର 

ଏ ଧରା ଧାମରେ ତୁମରି ଲୀଳା 

ସତ୍ୟ ଆନନ୍ଦରେ 

ସୁଖ ସମୃଦ୍ଧିରେ 

ଦୂର ହେଉ ଦୁଃଖ, ଯାତନା ଜ୍ୱାଳା ll

ଆଜି ଏ ଲଗନେ 

ତୁମରି ଅଙ୍ଗନେ 

ଘେନ ମା' ଗୋ ମୋର ହୃଦ ପ୍ରଣତି 

ତୁମରି ଆଶିଷେ 

ହସୁ ଏଇ ଧରା 

ଦୂର କରିଦିଅ ସବୁ ବିପତ୍ତି ll

ସିଂହ ବାହିନୀ ମା'

କରୁଣାମୟୀ ଗୋ 

ଉଦ୍ଧାର କର ଏ ସଂସାର ଭେଳା 

ଅଜ୍ଞାନ ଅନ୍ଧାର 

କର ମା' ଗୋ ଦୂର 

ଜାଳି ଦିଅ ଜ୍ଞାନ ଆଲୋକ ମାଳା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children