ଲୁହଭିଜା ପୃଷ୍ଠା
ଲୁହଭିଜା ପୃଷ୍ଠା
ମନରୁ ମନେ ମନେ
ତୁମ ଚେହେରାକୁ ନେଇ
ଆଙ୍କିଥିଲି ଛବି
ଦେଖି ଅନୁଭବ କରୁଥିଲି
ତୁମେ ଅଛ ମୋ ପାଖେ ପାଖେ
ଆକାଶ ଛାତିର ଜହ୍ନ
ଗାଁ ପୋଖରୀ ଭିତରର କୁମୁଦିନୀ
ଥିଲେ ବି ଯୋଜନ ଯୋଜନ ଦୂରେ
ମୁଁ ଭାବୁଥିଲି ତୁମେ ଅଛ
ମୋ ହାତ ପାହାନ୍ତାରେ
ଭାବନାରୁ ଭାବି ଭାବି
ଲେଖୁଥିଲି ତୁମ ନାମରେ କବିତା
ପଢ଼ିଲେ ଲାଗୁଥିଲା
ତୁମେ ଅଛ ଝରକା ସେ ପାଖେ
ଫୁଟା ଗୋଲାପ ପରି
ତାର ବାସ୍ନା ଆସୁଛି ପବନରେ
ଛୁଇଁ ଯାଉଛି ମୋ ସର୍ବାଙ୍ଗରେ
ମୁଁ ପାଲଟି ଯାଉଥିଲି ନିଥର
ଅପଲକେ ଏକ ଲୟର ମୂର୍ତ୍ତି ହୋଇ
ଆବେଗତା ସବୁ
ଖେଳୁଥିଲେ ଚକା ଭଉଁରୀ
ମୋ ଚାରି ପାଖରେ
ସେ ଛବି ସେ କବିତାକୁ ଯତନରେ
ଏକ ଦସ୍ତାବିଜ କରି
ତାର ପୃଷ୍ଠା ପୃଷ୍ଠା ସାଇତି ଥିଲି
ମୋ ହୃଦୟର ସିନ୍ଦୁକରେ
ପ୍ରତାରଣାର ଲଘୁଚାପଟିଏ
ତୁମ ହୃଦୟର ଆରବ ସାଗରରୁ
ମାଡ଼ି ଆସିଲା ଘୂର୍ଣ୍ଣିଝଡ଼ର ରୂପ ନେଇ
ତାର ପ୍ରକୋପରେ ସବୁ
ହୋଇଗଲା ଖିନଭିନ୍
ଭାଙ୍ଗିରୁଜି ଗଲା ମୋ ସପନ ସୌଧ
ଭିଜିଗଲା ଲୁହରେ ପୃଷ୍ଠା ପୃଷ୍ଠା
ମୋ ଜୀବନ କାହାଣୀର ପାଣ୍ଡୁଲିପି
ଏବେ ମୁଁ ବିସ୍ଥାପିତ ହେଲା ପରେ
ଦେଖୁଛି ସବୁ ଲୁହଭିଜା ରଙ୍ଗ ଫିକା
ଅସ୍ପଷ୍ଟ କିମ୍ଭୁତକିମାକାର ସେ ସ୍ମୃତି
ନାଚେ ମୋ ଆଖି ଆଗରେ
ଲାଗେ ମୋତେ ନିଦରୁ ଜାଗି ଉଠିଛି
ସପନ ମୋ ଭାଙ୍ଗିଗଲା ପରେ।

