STORYMIRROR

DR PRASANTA KUMAR BISWAL

Inspirational

3  

DR PRASANTA KUMAR BISWAL

Inspirational

ଲୋକତନ୍ତ୍ର

ଲୋକତନ୍ତ୍ର

1 min
192

କେତେ ଆଶାବାନ୍ଧି ଆଙ୍କିଥିଲୁ ତୁହି

ସୁନାର ଦେଶ ମହାନ,

ଫିରିଙ୍ଗି ହଟାଇ ତମସା ଦୂରେଇ

ଉଇଁବ ନୂଆ ତପନ ।1

ନିଜର ଭାଗ୍ୟକୁ ନିଜେ ହିଁ ଗଢିବୁ

ଧରିବୁ ଶାସନ ମଙ୍ଗ

ଲୁଣ୍ଠିତ ଜମିରେ ସବୁଜିମା ହେବ

ମନରେ ଭରେ ଉମଙ୍ଗ ।2

ରହିବେନି କେହି ଭୋକଉପାସରେ

ସବୁରି ଲାଗି ଯେ ଘର,

ଶିକ୍ଷାର ଆଲୋକେ ହେବ ଆଲୋକିତ

ଲଭିବେ ସ୍ବାସ୍ଥ୍ୟ ସେବାର ।3

ଜାତି ଭେଦ ଭୁଲି ଇର୍ଷା ଦ୍ବେଷ ଠେଲି

ବିଶ୍ବାସେ ହୃଦ ଯୋଡିବୁ 

ଅନ୍ୟର ସ୍ବାର୍ଥରେ ମାଆର ହିତରେ

ଜୀବନ ସମର୍ପି ଦେବୁ ।4

ଚତୁରେ ରମଣେ ପରସ୍ବ ହରଣେ

ଦିଦି କୋଟିପତି ହୁଏ, 

ଖାଦ୍ୟାଭାବେ ମାଆ ପିଲାକୁ ବିକଇ

ସ୍ବପ୍ନ ହୋଇ ଲୁହ ବହେ ।5

ଋଣ ଭାରେ ଏଠି କୃଷକ ମରଇ 

ଉଜୁଡେ ସଜା ସଂସାର, 

ଝିଅ ଜନ୍ମ ପାପ ଭ୍ରଷ୍ଟ ତାର ତପ

ଲାଞ୍ଛିତ କରେ ପାମର ।6

ରକ୍ଷକ ଯେଉଁଠି ଭକ୍ଷକ ସାଜଇ

ବାଡ ଖାଉଛି ଫସଲ ,

ଚନ୍ଦନ ବନ୍ଦନ କସ୍ତୁରୀ ଚାତୁରୀ

ଧରା ନପଡେ ଅସଲ ।7

ଶ୍ରେଷ୍ଠ ଗଣତନ୍ତ୍ର ଜଗତେ ବିଦିତ

ବୁକୁ ତ ଫୁଲାଇ କହୁ,

ଯେତେ କଟକଣା ସବୁ ବାଟବଣା 

ଗରୀବ ସହୁଛି ଦାଉ ।8

ଧନ୍ୟ ଲୋକତନ୍ତ୍ର କେତେ ଯେ ସ୍ବତନ୍ତ୍ର 

ଲାଗଇ ମାରିଚ ମାୟା,

ଜାତି ନନ୍ଦିଘୋଷ ଚଳାନ୍ତି ନେତାଏ

ମନରେ ସ୍ବାର୍ଥର ଛାୟା। (9)

କେତେଦିନ ଆଉ ଚେଇଁ ଶୋଇଥିବୁ

ସ୍ବପ୍ନରେ ଆବେଶ ହୋଇ, 

ମଣିଷକୁ ଥରେ ଭଲପାଇ ଦେଖ

ପୃଥ୍ବୀ କୁଟୁମ୍ବ ଲାଗଇ ।10

ମାତୃଭୂମି ଆମ ଜନନୀ ସମାନ 

ସେବ ତାକୁ ହୃଦ ଦେଇ ,

ହେଲେ ସୁରକ୍ଷିତ ହୋଇବ ସମୃଦ୍ଧ 

ବିଭୁ ଭାବ ମନେ ନେଇ।11



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational