ଲଲାଟ ଲିଖନ
ଲଲାଟ ଲିଖନ
ସମୟର ବଡ଼ ବିଚିତ୍ର ଗତି
କେଉଁଠି ଆରମ୍ଭ ପୁଣି କେଉଁଠି ଇତି ,
ଆଜି ଯେ ଫକୀର କାଲି ସେ ସମ୍ରାଟ
ବିହିଦେଇଥାଏ କପାଳେ ଲେଖି ।
ଯେଉଁ ସ୍ବପ୍ନ ଆସେ ମନ ରାଇଜେ
ରାତ୍ରି ଶେଷେ ସେତ ଯାଏ ଉଭେଇ,
ନିରବ ନିଶ୍ଚଳ ଅବିରାମେ ଗତି
ଘଣ୍ଟାର କଣ୍ଟାତ ଯେପରି ଘୁରଇ ।
ଅବସୋସ ରହେ ଜୀବନରେ ବହୁ
କପାଳ ଲିଖନ ନୁହେଁ ଲିଭାଇ,
କଣ୍ଟକର ପଥେ ଚାଲିବାକୁ ହୁଏ
ଫୁଲ ଶେଯ ଭାଗ୍ୟୁ ଯାଏ ଦୂରେଇ ।
ମରୀଚିକା ସମ ଆଶା ଗଢୁ ଗଢୁ
ସମୟର ନିର୍ଘଣ୍ଟ କ୍ଷଣେ ଆସଇ,
ଆଖିର ସପନ ଅଧା ରହିଯାଏ
ଲଲାଟ ଲିଖନ ଯଦି ଫଳଇ ।
କପାଳର ଲେଖା ନୁହଁଇ ତ ସିଧା
ଯାହା ଭୋଗିବାକୁ ଥାଏ ଜୀବନେ,
ଫୁଲର ପଥ ବି କଣ୍ଟାରେ ସଜାଇ
ଅବେଳେ ଯାଏ ସେ ଅମୂଲ୍ୟ ପରାଣେ ।
ଆଶା ଅସୁମାରୀ ଆଶା ଯେବେ ଭାସେ
ସାଗରେ ତରଙ୍ଗ ଲହରୀ ହୋଇ,
ସୌନ୍ଦର୍ଯ୍ୟ ପିପାସେ ଧାଇଁ ଧାଇଁ ଶେଷେ
ପଙ୍କଜିନୀ ଯେବେ ଦୂରୁ ହସଇ ।
ହୋଇତ ବାମନ ଧରିବାକୁ ଜହ୍ନ
ମନ ଯେବେ କେବେ ବୃଥା ଭ୍ରମଇ,
ଜହ୍ନ ରାଇଜକୁ ଯିବା ପାଇଁ କିଏ
ବାଟ ଓଗାଳି ସେ ବଇରୀ ସାଜଇ ।
ପ୍ରେମ ପ୍ରତାରଣା ଜୀବନେ ଭରି ସେ
ଅବସୋସ ଯେବେ ଦିବସ ବିତଇ,
ଭାବନା ରାଇଜେ ଦୋଷ ଦେଇ ଶେଷେ
ଏଇତ ଲଲାଟ ଲିଖନ ଚିନ୍ତଇ ।
ଯାହାଥିବ ଭାଗ୍ୟେ ପାଇବାକୁ ହୁଏ
ନିୟତି ନିର୍ଦ୍ଦେଶ ବୃଥା ନ ହୋଇ
ଜନମ ମରଣ ସୁଖ ଦୁଃଖ ଭରା
କାହାଣୀ ତ ଏଠି କପାଳ ଲିଖନ କର୍ମ ଭୁଞ୍ଜଇ ।
ସ୍ବପ୍ନ ସୌଦାଗର ହୋଇ ଜୀବନରେ
କେବେ ଯଦି ଆଶା ଆଗକୁ ଯାଇ
ଅପ୍ରାପ୍ତ ବସ୍ତୁକୁ ନ ପାଇ ମନୁଷ୍ୟ
ଲଲାଟ ଲିଖନ କରିବ କେ ଆନ
କେବଳ ଭାଗ୍ୟକୁ ଦୋଷ ସେ ଲଦଇ ।
