ଲକ୍ଷ୍ମଣ ରେଖା
ଲକ୍ଷ୍ମଣ ରେଖା
ଜଗତର ମାତା ଜନକ ନନ୍ଦିନୀ
ଟପିଲେ ଲକ୍ଷ୍ମଣ ରେଖା
କି ସୁଖ ପାଇଲେ ସାରା ଜୀବନଟା
ସବୁ ସୁଖରୁ ବଞ୍ଚିତା ।
ଅନ୍ଧ ପୁଅ ଅନ୍ଧ କହିଦେଲେ ଦିନେ
ଦ୍ରୌପଦୀ ରାଜକୁମାରୀ
ଶଶୁର ଦିଅର ଘୋର ଅପମାନ
କ୍ରୋଧେ ଯାଇଥିଲେ ଜଳି ।
କୁଳବଧୂର ସେ ମର୍ଯ୍ୟାଦା ଲଙ୍ଘିଲେ
କେଶବ କଲେ ବାରଣ
କଥା ରହିଗଲା କାଳ କାଳ ସିନା
ଘୋଟିଲା ଯୁଦ୍ଧ ଭିଆଣ ।
ଏହି ମାତ୍ର ଶିକ୍ଷା ଯଥେଷ୍ଟ ନୁହେଁ କି
ଆମ ନାରୀ ଜାତି ପାଇଁ
ସୀମା ଟପି ଗଲେ ଦୁଃସହ ବିପତ୍ତି
ସମ୍ମୁଖୀନ ହେବା ଯାଇ ।
କନ୍ୟାରତ୍ନ ବୋଲି ନାମ ଧରି ଅଛ
ରତ୍ନର ଅର୍ଥ କୁ ବୁଝ
ମାନ ମର୍ଯ୍ୟାଦା ଓ ସଂସ୍କାର ସୀମାରେ
ସର୍ବଦା ରୁହ ଆବଦ୍ଧ l
ପିଶାଚଙ୍କ ହାତେ ଧରା ଦିଅ ନହିଁ
ଲଂଘନି ଲକ୍ଷ୍ମଣ ରେଖା
ଇଜତ୍ ମହତ ନିଲାମ କରନି
ଦେଖାଅ ମାନବିକତା ।
ତୁମେ ହିଁ ଦୁର୍ଗା ତୁମେ ହିଁ ଲକ୍ଷ୍ମୀ
ସ୍ନେହ ପ୍ରେମ ଗନ୍ତାଘର
ତୁମେ ମାନେ ପରା ଜ୍ଞାନର ଭଣ୍ଡାର
ତୁମେ ସୃଷ୍ଟିର ସୁନ୍ଦର ।
ଯେତେ ଦିନ ଯାଏଁ ଆବଦ୍ଧ ରହିବ
ସୀମା ରେଖା ପରିଧିରେ
ରତ୍ନ ପରି ତୁମେ ଉଜ୍ଜଳ ଦିଶିବ
ତୁମେ ପୂଜ୍ୟ ଏ ସୃଷ୍ଟିରେ।
ସୀମା ଟପି ଗଲେ ଘୋର ବିପତ୍ତିକୁ
କରିବାରେ ଆମନ୍ତ୍ରଣ
ନ୍ୟାୟ ଦିଅ ବୋଲି ମୁଣ୍ଡ ପିଟୁଥିବା
ସୃଷ୍ଟି ନାଶ ବୋଲି ଜାଣ
