ଲେଖା ପଛର ପ୍ରେରଣା
ଲେଖା ପଛର ପ୍ରେରଣା
କବି କି ଲେଖକ ନୁହଁଇ ତ ମୁହିଁ
ଲେଖିବା ଅଭ୍ୟାସ ମୋର,
ଯାହା ମୁଁ ଭାବଇ ତାହା ମୁଁ ଲେଖଇ
ମନକୁ କରିଣ ସ୍ଥିର ।
ପିଲାଟି ଦିନରୁ ନନା(ବାପା) ମୋର ବସି
ଲେଖିବାକୁ କହୁଥିଲେ,
ମା'ର (ଜେଜେମା) କାହାଣୀ ବୋଉ (ମାଆ) ପରୀ କଥା
ଲେଖିବାକୁ ଶିଖାଇଲେ ।
ବୟସ ବଢିଲା ଏଗାର ବର୍ଷରୁ
ଲେଖନୀ ଚାଳନା କଲି,
ଲେଖି ମୁଁ ଚାଲିଲି ପଛକୁ ଚାହିଁନି
ଆଗକୁ ଆଗକୁ ଗଲି ।
କେବେ ତ ପ୍ରବନ୍ଧ କେବେ ଲେଖେ ଧନ୍ଦା
ଛନ୍ଦ କବିତା ଲେଖିଲି,
ଶିଶୁ ଗଳ୍ପ ଲେଖେ କେବେ ଭଜନକୁ
ପୁରାଣୁ ଗପ ଆଣିଲି ।
ପୁରାଣ ପୋଥିରୁ ଲେଖା ପାଇଁ ପ୍ରେରଣା
ଆଣି ଯୋଗାଇଲା ମତେ,
ଅଭିଧାନ ଠାରୁ ଶଦ୍ଦ ବାଛି ଆଣି
ଗୁନ୍ଥିଲି ସେଥିରେ କେତେ ।
ବଡ଼ ଭାଇ ମୋର ପ୍ରେରଣାଟି ଦେଲେ
ଷୋହଳ ବର୍ଷରେ ମତେ,
ପରିବେଶ ଆଉ ପ୍ରକୃତିକୁ ନେଇ
ଲେଖିଲି କବିତା କେତେ ।
ପତ୍ରପତ୍ରିକାରେ ପ୍ରକାଶିତ ପାଇଁ
ମନ ମୋର ବଳାଇଲା,
ଉତ୍ସାହିତ ହେଲି ପ୍ରକାଶନ ପରେ
ପ୍ରେରଣା ଯୋଗାଇଥିଲା ।
କେତେ ଅନୁଷ୍ଠାନ କେତେ ସାହିତ୍ୟିକ
ପ୍ରେରଣା ଯୋଗାଇଦେଲେ,
ପଢିଲି ସାହିତ୍ୟ ଲେଖିଲି ସାହିତ୍ୟ
ସମୟ ମିଳିବା ବେଳେ ।
ସଂସାର କରିଲି ପ୍ରିୟତମା ମୋର
ଲେଖା ପଛରେ ପ୍ରେରଣା,
ତା'ର ପ୍ରେରଣାରେ ଚାଲେ ମୋ କଲମ
ଅନୁଭବୀଙ୍କୁ ହିଁ ଜଣା ।
ପ୍ରଥମ ପାଠକ ଭୁଲ ସଂଶୋଧକ
ଅଟେ ମୋର ଅର୍ଦ୍ଧାଙ୍ଗିନୀ,
ଲେଖଇ ସାହିତ୍ୟ, ପଢଇ ସାହିତ୍ୟ
ଅଭ୍ୟାସ ହୋଇ ଗଲାଣି ।
ଚାହେଁନି ପ୍ରଶଂସା ନାହିଁ ମାନପତ୍ର
ସାହିତ୍ୟ ମୋର ଜୀବନ,
ସମାଲୋଚନାର ଶରବ୍ୟ ହୋଇଲେ
ବଢେ ମୋର ଭାଷା ଜ୍ଞାନ ।
ସମସ୍ତ ସ୍ରଷ୍ଟାଙ୍କୁ ସମ୍ମାନ ଦିଏ ମୁଁ
ସୃଷ୍ଟି ପାଇଁ ଗର୍ବେ ଖଟେ,
ଲେଖକ ଲେଖିଣ ନିଶ୍ଚିତ ଭାବଇ
"ମୋ ଲେଖା ଉତ୍ତମ ଅଟେ" ।
ମତାମତ ଦେଲେ ଆତ୍ମତୃପ୍ତି ପାଏ
ଉତ୍ସାହ ଆଗକୁ ବଢେ,
ନୂତନ ସୃଷ୍ଟିକୁ ରଙ୍ଗ ଦେବା ପାଇଁ
କବି ମାନସରେ ଗଢେ ।
ପ୍ରତିଯୋଗିତା କୁ ଘୃଣା କରେ ମୁହିଁ
ସ୍ରଷ୍ଟାଙ୍କ ମନକୁ ଜାଣି,
ଓଡ଼ିଆ ସାହିତ୍ୟ ଉନ୍ନତି ର ପାଇଁ
ପ୍ରେରଣା ଯୋଗାଏ ପୁଣି ।
ମନୋବଳ ସୃଷ୍ଟି ପ୍ରେରଣାରୁ ମିଳେ
ଆଗ୍ରହ ବଢେ ସ୍ରଷ୍ଟାର,
ଲେଖିବି ଲେଖିବି ବୋଲି ସେ ଭାବଇ
ଲେଖୁଥାଏ ନିରନ୍ତର ।
ସଂସାର ଜଞ୍ଜାଳେ ବାନ୍ଧି ହେଲେ ମଧ୍ୟ
ସାହିତ୍ୟ ମୋର ସଂସାର,
ପ୍ରେରଣା ମିଳଇ ଲେଖିବାର ପାଇଁ
ଗଢିଛି ସାହିତ୍ୟ ଘର ।
ଅଚିହ୍ନା ଲୋକ ବି ଚିହ୍ନା ହୋଇଯାନ୍ତି
ସାହିତ୍ୟ ସାଧନା ବେଳେ,
ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ
ଲେଖନୀ ଚାଳନା ଚାଲେ ।